ଓଡ଼ିଶାଲାଇଭ୍‌ ବ୍ୟୁରୋ

”ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉଚିତ୍ ମାନ୍ୟତା ମିଳିବ। ସାରା ଦେଶର ଟୁର୍ ଅପରେଟରମାନେ ସେମାନଙ୍କ ଏଜେଣ୍ଡାରେ ଓଡ଼ିଶାକୁ ଅଧିକ ଫୋକସ୍ କରିବେ। କାରଣ ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ଉତ୍ତମ ବାତାବରଣ ଏବଂ ଲୋକଙ୍କ ବ୍ୟବହାର ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରୁଛନ୍ତି। ଇଣ୍ଡିଆନ୍ ଆସୋସିଏସନ୍  ଟୁର୍ ଅପରେଟରସ (ଆଇଏଟିଓ) ସମ୍ମିଳନୀ ଅବସରରେ ୧୫ଟି ରାଜ୍ୟରୁ ଆସିଥିବା ଟୁର୍ ଅପରେଟରମାନଙ୍କୁ ଏ ବାବଦରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବା ଲାଗି ଅନୁରୋଧ କରିଛୁ”, କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମା।
ଗୁରୁବାରଠାରୁ ରାଜଧାନୀ ଭୁବନେଶ୍ୱରରେ ୩ ଦିନ ଧରି ଆୟୋଜିତ ହୋଇଥିଲା ଆଇଏଟିଓର ବାର୍ଷିକ ସମ୍ମିଳନୀ।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଡକ୍ଟର ଶର୍ମା ଆଇଏଟିଓ ସମ୍ମିଳନୀକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ୧୫ଟି ରାଜ୍ୟରୁ ଟୁର୍ ଅପରେଟରମାନେ ଏହି ସମ୍ମିଳନୀରେ ସାମିଲ୍ ହୋଇଥିବାରୁ ଆମେ ବହୁତ ଖୁସି। ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ସରକାର ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବାରୁ ଏହା ଆମ ପାଇଁ ଖୁସିର କଥା।
ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।  ସମଗ୍ର ବିଶ୍ୱର ପର୍ଯ୍ୟଟନ କ୍ଷେତ୍ରକୁ ୪ ପ୍ରତିଶତ ପର୍ଯ୍ୟଟକ ପ୍ରତି ବର୍ଷ ଆସୁଥିବା ବେଳେ କେବଳ ଓଡ଼ିଶାକୁ ୯ ପ୍ରତିଶତ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ଓଡ଼ିଶା ପାଇଁ ଖୁସିର କଥା। ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ବିଭାଗ ତରଫରୁ ବହୁ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ମଧ୍ୟ ଏହାର ବିକାଶ ପ୍ରତି ଧ୍ୟାନ ଦିଆଯିବ ବୋଲି ଡକ୍ଟର ଶର୍ମା କହିଛନ୍ତି।

Tags: Odisha Tour Operators, Tourism, Dr. Mona Sharma, HRAO, IATO, IATO Annual Convention, JK Mohanty, Naveen Patnaik, Odisha Tourism, Swosti Group, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment