ପ୍ରମୁଖ ପ୍ରତିନିଧି

“ଜୀବନ ଏକ ଆଶିର୍ବାଦଖୁସି ହେଉଛି ଜୀବନର ସବୁଠୁ ବଡ଼ ଅନୁଭବଏହା ଏଭଳି ଏକ ଅନୁଭବ ଯାହା ବାଣ୍ଟିଲେ ବଢେ ସିନା କମେ ନାହିଁ”, କହନ୍ତି ଆକାଶ

ଗତ କିଛି ବର୍ଷ ଧରି ଅଭିନେତା ଆକାଶ ଦାସନାୟକ ଭିନ୍ନ ଢଙ୍ଗରେ ନିଜ ଜନ୍ମଦିନ ପାଳି ଆସୁଛନ୍ତି। ଏବର୍ଷ ସେ ଏକ ନୂଆ ଷ୍ଟାଇଲ୍‌ରେ ଜନ୍ମଦିନ ପାଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ୧୭ ତାରିଖରେ ତାଙ୍କ ଜନ୍ମଦିନରେ ସେ ଅନାଥ ପିଲାମାନଙ୍କୁ ଧରି ଭୁବନେଶ୍ୱର ପ୍ଲାନେଟାରିୟମ୍‌ ଏବଂ ପାଖରେ ଥିବା ନାଚ୍ୟୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ ବୁଲାଇନେବେ ଓ ସେମାନଙ୍କ ସହ ଖାନାପିନା ଓ ମ‌ଉଜମସ୍ତି କରିବେ। ସେହି ପିଲାଙ୍କ ସାଙ୍ଗରେ ଆକାଶ କେକ୍‍ କାଟି ଜନ୍ମଦିନର ବିଶେଷ ଅନୁଭବ ନେବେ। ତାଙ୍କ ସହ ଆକାଶଙ୍କ ପରିବାର ଓ କେତେକ ବନ୍ଧୁ ମଧ୍ୟ ଏଥିରେ ଯୋଗ ଦେବେ।
“ସମସ୍ତେ ନିଜ ଜନ୍ମଦିନରେ ପରିବାର ଓ ପ୍ରିୟଜନଙ୍କ ସହ କାଟିଥା’ନ୍ତି। ମୋ ପାଖରେ ତ ମୋର ପରିବାର ଓ ପ୍ରିୟବନ୍ଧୁମାନେ ଅଛନ୍ତି। କିନ୍ତୁ ଯେଉଁମାନେ ପରିବାରର ସୁଖ ଓ ଅନୁଭବ ପାଇପାରୁନାହାନ୍ତି ସେମାନଙ୍କ ସାଙ୍ଗରେ ସମୟ କାଟିବା ମୋ ପାଇଁ ସବୁଠାରୁ ବଡ଼ ଖୁସିର କଥା”, ଓଡ଼ିଶାଲାଇଭ୍‌ ସହ କଥାବାର୍ତ୍ତା ବେଳେ କହିଛନ୍ତି ଆକାଶ। ପ୍ରାୟ ୧୦ ବର୍ଷ ହେଲା ଅଭିନେତା ଆକାଶ ଦାସନାୟକ ଏହି ଢଙ୍ଗରେ ଜନ୍ମଦିନ ପାଳିଆସୁଛନ୍ତି।
“ଏଥର ମୁଁ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମରେ ଥିବା ୭୦ରୁ ୮୦ ଜଣ ପିଲାମାନଙ୍କୁ ସାଙ୍ଗରେ ନେଇ ମୁଁ ମୋ ଜନ୍ମଦିନ ପାଇଁ ପ୍ଲାନ୍‍ କରିଛି। ଆମେ ସକାଳ ପ୍ରାୟ ୧୦ଟାରେ ଆଶ୍ରମରୁ ବାହାରି ପ୍ଲାନେଟାରିୟମ୍‍ ଓ ମ୍ୟୁଜିୟମ୍‍ ବୁଲିଯିବୁ। ଲଞ୍ଚରେ ଏକାଠି ଖାଇବୁ ଓ ପିଲାମାନଙ୍କୁ ପୁଣି ଆଣି ସେମାନଙ୍କ ଆଶ୍ରମରେ ଛାଡ଼ିଯିବୁ”, ଜନ୍ମଦିନର ପ୍ଲାନ୍‍ ବର୍ଣ୍ଣନା କରିଛନ୍ତି ଆକାଶ।
ଜନ୍ମଦିନରେ ନିଜ ପରିବାର ସହ କ’ଣ ସମୟ କାଟନ୍ତିନି ଆକାଶ?
“ଆମେ ତାଙ୍କୁ ପ୍ରତିବର୍ଷ ରାତି ୧୨ଟା ବେଳକୁ ସର୍‌ପ୍ରାଇଜ୍‌ ଦେଉ। ଘରେ କେକ୍‍ କଟାହୁଏ। ବାପା-ମା’ଙ୍କ ଆଶିର୍ବାଦ ନେଉ। ହେଲେ ପୂରା ଦିନଟା କିନ୍ତୁ ସେ ତାଙ୍କ ଷ୍ଟାଇଲ୍‌ରେ କାଟନ୍ତି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଆକାଶଙ୍କ ବେଟର୍‌ ହାଫ୍‌ ଶୁଭ୍ରାଜ୍ୟୋତି।
“ତାଙ୍କର ଏ ଷ୍ଟାଇଲ୍‍ ମୋ୍ତେ ବହୁତ ଭଲଲାଗେ। ମୁଁ ବି ଏଥିରେ ଅନୁପ୍ରାଣିତ ହୋ‍ଇଛି। ଅନ୍ୟମାନଙ୍କ ମୁହଁରେ ଖୁସି ଦେଖିଲେ ସେ ବହୁତ ଖୁସି ହୁଅନ୍ତି”, ନିଜ ସ୍ୱାମୀଙ୍କ ନିଆରା ଷ୍ଟାଇଲ୍‌ ବିଷୟରେ ବର୍ଣ୍ଣନା କରିଛନ୍ତି ଶୁଭ୍ରାଜ୍ୟୋତି।
ଗତ ବର୍ଷ କେମିତି କଟିଥିଲା ଆକାଶଙ୍କ ଜନ୍ମଦିନ?
“ଗଲାବର୍ଷ ମୁଁ ବରିଷ୍ଠ ନାଗରିକମାନଙ୍କୁ ପୁରୀ ବୁଲାଇ ନେଇଥିଲି। ଆମେ ମନ୍ଦିର ଗଲୁ। ଦିଅଁଙ୍କ ଦର୍ଶନ ସହ ଅଭଡ଼ା ବି ଖାଇଲୁ। ପରେପରେ ସମୁଦ୍ର କୂଳ ବୁଲି ସନ୍ଧ୍ୟାରେ ଫେରିଲୁ। ସେଦିନ ସେହି ମ‌ଉସା-ମାଉସୀମାନେ ମତେ ଯେଉଁ ଭଲପାଇବା ଓ ଆଶିର୍ବାଦ ଦେଲେ, ମୁଁ ତାହା ଭୁଲିପାରିବି ନାହିଁ। ଆମ ସାଙ୍ଗରେ ଯାଇଥିବା କିଛି ଲୋକ ମଧ୍ୟ ଜୀବନରେ ପ୍ରଥମ ଥର ପାଇଁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହା ମୋ ପାଇଁ ସବୁଠୁ ବଡ଼ କଥା”, ଓଡ଼ିଶାଲାଇଭ୍‌ ଟିମ୍‌କୁ ନିଜର ଅନୁଭବ ବଖାଣିଛନ୍ତି ଆକାଶ।
କେବଳ ଜନ୍ମଦିନ ନୁହେଁ, ବର୍ଷର ବିଭିନ୍ନ ପର୍ବପର୍ବାଣି ବେଳେ ମଧ୍ୟ ଅଭିନେତା ଓ ବିଧାୟକ ଆକାଶ ଦାସନାୟକ ସମାଜର ଏଭଳି ଅବହେଳିତ ବର୍ଗର ମଣିଷମାନଙ୍କ ସହ ସମୟ କଟାଇବାକୁ ପସନ୍ଦ କରନ୍ତି। ଦୀପାବଳି ହେଉ କି ହୋଲି, ସେ ଖୁସିର ଏକ ବାତାବରଣ ସୃଷ୍ଟି କରି ସେହି ମଣିଷମାନଙ୍କୁ କିଛି ସମୟ ପାଇଁ ହେଉ ପଛେ ଅନୁଭବ ଦେବାକୁ ଚାହାନ୍ତି ଯେ ଯାହାର କେହି ନାହିଁ, ତା’ର କେହି ନା କେହି ରହିଛି।
“ଜୀବନ ଏକ ଆଶିର୍ବାଦ। ଖୁସି ହେଉଛି ଜୀବନର ସବୁଠୁ ବଡ଼ ଅନୁଭବ। ଏହା ଏଭଳି ଏକ ଅନୁଭବ ଯାହା ବାଣ୍ଟିଲେ ବଢେ ସିନା କମେ ନାହିଁ”, କହନ୍ତି ଆକାଶ।

Tags: MLA Akash, Akash DasNayak, Ollywood, Odia Cinema, Odia Cine News, Odia Cine Actor, Cine Actor, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

Comment