ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପରିଶ୍ରମ ସହିତ ଧୈର୍ଯ୍ୟ ରଖିଲେ ମହିଳାମାନେ ସଫଳତାର ଶୀର୍ଷ ଛୁଇଁପାରିବେ”, ଦୃଢତାର ସହିତ କହିଛନ୍ତି ରିତୁ କୁମାର।

ଭାରତୀୟ ସଂସ୍କୃତିକୁ ବେଶ ପୋଷାକ ମଧ୍ୟରେ ଚିରଦିନ ଅକ୍ଷୁର୍ଣ୍ଣ ରଖିବାରେ ଯେଉଁ କେତେକ ଡ଼ିଜାଇନର ନିଜକୁ ନିୟୋଜିତ ରଖିଛନ୍ତି ସେମାନଙ୍କ ମଧ୍ୟରେ ରିତୁ କୁମାରଙ୍କ ନାମ ସର୍ବାଗ୍ରେ ଆସେ। ସମାଜର ସବୁବର୍ଗର ଲୋକଙ୍କ ରୁଚିକୁ ଆଖିରେ ରଖି ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ସେ କରିଥିଲେ ମନୋନିବେଶ ଓ ସେଥିରେ ପାଇଥିଲେ ସଫଳତା। ସେଇଥିପାଇଁ ତାଙ୍କ ଡିଜାଇନର ପୋଷାକ ଭାରତ ମଧ୍ୟରେ ସୀମିତ ନରହି ଚାଲି ଯାଇଥିଲା ଦେଶ ବାହାରକୁ।
ବୁଟିକ୍ ସଂସ୍କୃତିକୁ ଆଗକୁ ବଢାଇଥିଲେ ରିତୁ କୁମାର। ସେ ଏମିତି ଜଣେ ମହିଳା ଡିଜାଇନର ଯିଏ ଭାରତୀୟ ସଂସ୍କୃତିକୁ ନୂଆ ରୂପରେ ଉପସ୍ଥାପନ କରି ପ୍ରିସିଦ୍ଧି ପାଇଛନ୍ତି। ତାଙ୍କ ଦ୍ୱାରା ଡିଜାଇନ ହୋଇଥିବା ପୋଷାକ କେବଳ ଉଚ୍ଚବର୍ଗର ଲୋକ ଗ୍ରହଣ କରିନଥିଲେ, ମଧ୍ୟମ ବର୍ଗର ଲୋକଙ୍କୁ ମଧ୍ୟ ତାହା ଆକୃଷ୍ଟ କରିପାରିଥିଲା। କହିବାକୁ ଗଲେ ପୋଷାକ ମଧ୍ୟରେ ନିଜର ସମ୍ମାନକୁ ଖୋଜୁଥିବା ସବୁ ବର୍ଗର ଲୋକଙ୍କ ପାଇଁ ସେ ଗ୍ରହଣୀୟ ପୋଷାକର ଡ଼ିଜାଇନ କରିପାରିଥିଲେ। କପଡ଼ାରେ ସେ ରେଶମ, ଚମଡ଼ା, କପାର ଉପଯୋଗ ଅଧିକ କରିଥାନ୍ତି। ତାଙ୍କର ଏମ୍ବ୍ରେଡରୀ ପାରମ୍ପରିକ।
ପଞ୍ଜାବର ଅମୃତସରରେ ୧୯୪୪ ମସିହା ନଭେମ୍ବର ୧୧ତାରିଖରେ ଜନ୍ମିତ ରିତୁ କୁମାର ଆଜି ଫେସନ ଡିଜାଇନ ଦୁନିଆରେ ଜଣେ ଆଇକନ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ସ୍ୱଭାବରେ ନମ୍ର, ସର୍ବଦା ହସହସ ମୁଖ ଓ ଅସୀମ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ରିତୁ କୁମାର। ଦିଲ୍ଲୀର ଲେଡି ଇରୱିନ କଲେଜରୁ ୧୯୬୪ରେ ସ୍ନାତକ ପାସ୍ କରିବା ପରେ ଆମେରିକାର ନ୍ୟୁୟର୍କ ସ୍ଥିତ ବ୍ରିଆରକ୍ଲିଫ କଲେଜରୁ ୧୯୬୬ରେ ପାସ୍ କରିଥିଲେ।
୧୯୬୦ରେ ସେ କୋଲକତାର ଏକ ଛୋଟ ସହରରେ ୪ ହ୍ୟାଣ୍ଡ ପ୍ରିଣ୍ଟର୍ସ ଓ ୨ ବ୍ଲାକ୍ସ ସହାୟତାରେ ଏକ ଲଘୁ ଉଦ୍ୟୋଗ ସ୍ଥାପନ କଲେ। ମାତ୍ର ୫୦ ହଜାର ଟଙ୍କାରେ ସେ ଆରମ୍ଭ କରିଥିଲେ ତାଙ୍କ ବ୍ୟବସାୟ। ସେତେବେଳେ ସେ ଜାଣି ନଥିଲେ ଏହି ବ୍ୟବସାୟ ତାଙ୍କର କୋଲକତା ଡେଇଁ ସାରା ବିଶ୍ୱକୁ ବ୍ୟାପିଯିବା ସହିତ ତାଙ୍କୁ ଏତେ ବଡ଼ ସଫଳତା ମିଳିବ ବୋଲି। ଆଜି ସମଗ୍ର ଦେଶରେ ତାଙ୍କର ୩୪ଟି ଓ ଆମେରିକାରେ ଗୋଟିଏ ଦୋକାନ ରହିଛି।
ରିତୁ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଧ୍ୟାନରେ ରଖି ପୋଷାକ ବନାଇଥାନ୍ତି। ଖାସ୍ ଏଇଥିପାଇଁ ତାଙ୍କ ଡ଼ିଜାଇନରେ ପ୍ରସ୍ତୁତ ‘ଇଭିନିଙ୍ଗ ଗାଉନ୍’ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ସର୍ବଦା ପୁରସ୍କାର ଦୌଡ଼ରେ ସାମିଲ ହୋଇଥାଏ। ୨୦୦୦ରେ ତାଙ୍କୁ କିଙ୍ଗଫିଶର ଗ୍ରୁପ୍ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ରିତୁ କୁମାର ନିଜର ବ୍ୟବସାୟକୁ ଆଗକୁ ଆଗକୁ ଆଗେଇ ନେଉଥିବା ବେଳେ ୨୦୦୨ରେ ତାଙ୍କ ପୁଅ ଅମରୀଶ ମା’ଙ୍କ ସହିତ ଯୋଗଦେଲେ। ସେମାନେ ‘ଲେବେଲ’ ନାମରେ ଏକ ନୂଆ ବ୍ରାଣ୍ଡ ସ୍ଥାପନ କଲେ ଏବଂ ତାହା ପ୍ରସିଦ୍ଧି ଲାଭ କଲା। ତାଙ୍କର ଏହି ବ୍ରାଣ୍ଡ ଥିଲା ଯୁବପିଢିଙ୍କ ପାଇଁ। ସେହି ଯୁବକମାନେ ଯେଉଁମାନଙ୍କ ପକେଟ୍ରେ କମ୍ ଅର୍ଥ ଥାଏ, ମାତ୍ର ସେମାନେ ଫ୍ୟାସନ ପ୍ରିୟ ସେହିମାନଙ୍କ ପାଇଁ ଥିଲା ତାଙ୍କର ବ୍ରାଣ୍ଡ। ସେମାନଙ୍କର ଚାହିଦାକୁ ଆଖିରେ ରଖି କପଡ଼ା, ରଙ୍ଗ, ଡିଜାଇନ ଓ ଆଧୁନିକତା ସବୁର ସେ ମିଶ୍ରଣ କରାଇଥିଲେ।
କେବଳ ସେତିକି ନୁହେଁ, କେତେକ ନାମୀଦାମୀ ଅଭିନେତ୍ରୀଙ୍କ ପାଇଁ ସେ ମଧ୍ୟ ଡ଼ିଜାଇନ୍ ପ୍ରସ୍ତୁତ କରିଥିଲେ। ସେହି ଅଭିନେତ୍ରୀଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ, ସୁସ୍ମିତା ସେନ୍, ଲାରା ଦତ୍ତା, ପ୍ରିୟଙ୍କା ଚୋପ୍ରା, ଦୀୟା ମିର୍ଜା, ଡାୟନା ହେଡେନ, ସେଲିନା ଜେଟଲୀ, ତନୁଶ୍ରୀ ଦତ୍ତା, ନେହା ଧୁପିଆ ଆଦିଙ୍କ ନାମ ଆସେ। ତାଙ୍କର ସବୁଠାରୁ ବଡ଼ ସଫଳତା ହେଲା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବା ତିନି ମିସ୍ ଇଣ୍ଡିଆଙ୍କ ପାଇଁ ସେ ସୁଇମ୍ ସୁଟ୍, ଇଭିନିଙ୍ଗ ସୁଟ୍, ପାରମ୍ପରିକ ଭାରତୀୟ ପୋଷାକ, କାଜୁଆଲ୍ ଓ ଇଭିନିଙ୍ଗ ଗାଉନ୍‌ ଡିଜାଇନ୍ କରିଥିଲେ। ପ୍ରିନସେସ୍ ଡାଏନା ଓ ଜେମିମା ଖାନଙ୍କ ଭଳି ଷ୍ଟାଇଲିଶ୍ ମହିଳାଙ୍କ ପୋଷାକ ମଧ୍ୟ ସେ ଡ଼ିଜାଇନ୍ କରୁଥିଲେ।
ରିତୁ କୁମାରଙ୍କ ବହି ‘କଷ୍ଟ୍ୟୁମ୍ସ ଆଣ୍ଡ ଟେକ୍ସଟାଇଲ୍ସ ଅଫ ରୟାଲ ଇଣ୍ଡିଆ’ ୧୯୯୯ରେ ପ୍ରକାଶ ପାଇଲା। ସେହି ପୁସ୍ତକରେ ତାଙ୍କ ଡିଜାଇନର ନମୁନା ଦେଖିବାକୁ ମିଳେ। ଏହି ପୁସ୍ତକର ପ୍ରକାଶନ କ୍ରିଷ୍ଟି କରିଥିବା ବେଳେ ଏଥିରେ ଭାରତରେ ବୟନ ଶିଳ୍ପ ଓ ଡିଜାଇନର ଇତିହାସ ରହିଛି। ତେଣୁ ଏ ସମ୍ପର୍କରେ ଜାଣିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ। ତାଙ୍କର କୃତିତ୍ୱ ପାଇଁ ତାଙ୍କୁ ଇନ୍ଦିରା ପ୍ରିୟଦର୍ଶିନୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ରିତୁଙ୍କ ଆଉ ଜଣେ ପୁଅ ଅଶ୍ୱିନୀ କୁମାର ହେଉଛନ୍ତି ଜଣେ ନିର୍ଦ୍ଦେଶକ। ସେ ୨୦୦୨ରେ ‘ରୋଡ୍‍ ଟୁ ଲଦାଖ’ ଏବଂ ୨୦୦୪ରେ ‘ଲିଟିଲ୍ ଲଦାଖ’ ନିର୍ମାଣ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ‘ଲିଟିଲ ଲଦାଖ’ କ୍ଷୁଦ୍ର ଫିଲ୍ମ ବିଭାଗରେ ଏକାଡେମୀ ଆୱାର୍ଡ ପାଇଁ ନାମାଙ୍କିତ ହୋଇଥିଲା। ସେହି ଫିଲ୍ମରେ କଳାକାରଙ୍କ ପୋଷାକର ଡିଜାଇନ୍ କରିଥିଲେ ରିତୁ କୁମାର।
ବର୍ତ୍ତମାନର ମହିଳାଙ୍କ ଆଭିମୁଖ୍ୟକୁ ନେଇ ସେ ଖୁବ୍ ସନ୍ତୁଷ୍ଟ। ‘ମାନସିକ ଭାବେ ଆଜିକାଲିର ମହିଳମାନେ ଅଧିକ ପରିପକ୍ୱ। ସେମାନଙ୍କୁ ସୁଯୋଗ ମିଳିଲେ ସେମାନେ ଖୁବ୍‌ ଶୀଘ୍ର ବଡ଼ ବଡ଼ ସଫଳତା ହାସଲ କରିପାରିବେ। ଉନ୍ନତ ଜ୍ଞାନକୌଶଳ ଫ୍ୟାସନକୁ ବହୁ ଆଗକୁ ନେଇ ଯାଇଛି। “ପରିଶ୍ରମ ସହିତ ଧୈର୍ଯ୍ୟ ରଖିଲେ ମହିଳାମାନେ ସଫଳତାର ଶୀର୍ଷ ଛୁଇଁ ପାରିବେ”, ଦୃଢତାର ସହିତ କହନ୍ତି ରିତୁ କୁମାର।

Tags: Costumes and Textiles of Royal India, Fashion Designer, Indian Fashion Designer, Trendy Dresses, Ritu Kumar, Lehnga Collections by Ritu Kumar,  Lehnga Collections, Bridal Lehnga Collections Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment