ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ଦିନର ଲୁଚକାଳି ଖେଳ ଶେଷ ହୋଇଛି। ଶେଷରେ ଛତ୍ରପୁର ବିଜେଡି କାଉନସିଲର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ପୋଲିସ ପଞ୍ଝାରେ ପଡ଼ିଛନ୍ତି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଏହି ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏବେ ଏହି ନିର୍ମମ ହତ୍ୟାକାଣ୍ଡ କେଉଁ କାରଣରୁ ଘଟିଲା ତାହା ଜାଣିବା ପାଇଁ ୪ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେବ। ରିମାଣ୍ଡ ପରେ ହିଁ ସ୍ପଷ୍ଟ ହେବ ହତ୍ୟାକାଣ୍ଡ ପଛର ରହସ୍ୟ କ’ଣ?

ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି ବିଜେଡ଼ି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଗଞ୍ଜାମ ଏସ୍‌ପି ଆଶିଷ ସିଂ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପ୍ରଭାତ କୁମାର ନାୟକ ଓରଫ୍ ସୋନୁ, ସୂର୍ଯ୍ୟ କୁମାର ନାୟକ, ପ୍ରେମ୍ କୁମାର ନାୟକ, ଏନ୍ ଇଶ୍ବର ରେଡ୍ଡି, କୁନା ନାୟକ, ଜିତେନ୍ କୁମାର ନାୟକ, ସୁଶିଳା ନାୟକ ଏବଂ ପ୍ରଶାନ୍ତ ସ୍ବାଇଁ। କେବଳ ପ୍ରଶାନ୍ତ ଘର କୋଦଳା ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଘର ଛତ୍ରପୁର ଅଞ୍ଚଳରେ।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ରକ୍ତଭିଜା କଟୁରି, ପ୍ଲାଷ୍ଟିକ ପାଇପ୍, ୨ଟି ବାଇକ, ଗୋଟିଏ ସ୍କୁଟର ଏବଂ କାର୍‌ ଜବତ କରିଛି।
ଏସ୍‌ପି ଆଶିଷ ସିଂ କହିଛନ୍ତି,”ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଏଥିପାଇଁ ପୂର୍ବରୁ ବିଧିବଦ୍ଧ ଷଡ଼ଯନ୍ତ୍ର କରାଯାଇଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ୪ ଜଣଙ୍କୁ ଆମେ ରିମୋଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛୁ।”
ସେପ୍ଟେମ୍ବର ୧୭ ତାରିଖର ଘଟଣା। ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍ ଅଶାନ୍ତ ହୋଇଯାଇଥିଲା। ଆଉ ଏତିକି ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଭାବେ କେତେକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁ ଘଟିଥିଲା।
ଛତ୍ରପୁର ଟେଲିଫୋନ୍ ଭବନ ନିକଟ ସୂର୍ଯ୍ୟନଗର ଘରେ ବସିଥିଲେ ଲକ୍ଷ୍ମୀଦତ୍ତ । ଏହି ସମୟରେ କେତେକ ଯୁବକ ହାତରେ ମାରଣାସ୍ତ୍ର ଧରି ଘରେ ପଶି ଲକ୍ଷ୍ମୀଦତ୍ତଙ୍କୁ ଅଚାନକ ପିଟିଥିଲେ। ଏଥିରେ ଲକ୍ଷ୍ମୀଦତ୍ତଙ୍କ ଭାଇ ଦେବଦତ୍ତ ପ୍ରଧାନ ଏବଂ ବନ୍ଧୁ ଶିବଶଙ୍କର ପାଢ଼ୀ ବାଧା ଦେବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣକାରୀ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଦତ୍ତଙ୍କୁ ପ୍ରଥମେ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତୀ କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ଛତ୍ରପୁର ପୋଲିସ ଲକ୍ଷ୍ମୀଦତ୍ତଙ୍କ ସୂର୍ଯ୍ୟନଗର ଘରେ ପହଞ୍ଚି ସିସିଟିଭି ଫୁଟେଜ ଅନୁଧ୍ୟାନ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା।

 

Comment