ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆହୁରି ୨୪ ଘଣ୍ଟା ବର୍ଷା
  • ୨୫ଟି ଜିଲ୍ଲାରେ ସ୍ଥିତି ଅସମ୍ଭାଳ
  • ଫିକା ପଡ଼ିଲା ଆଲୋକର ପର୍ବ ଦୀପାବଳି
  • ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ
ବୁଧବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ଏପର୍ଯ୍ୟନ୍ତ ଛାଡ଼ିବାର ନାଁ ଧରୁନି। ଫଳରେ ଓଡ଼ିଶାର ୮ଟି ଜିଲ୍ଲାର ୨୫ଟି ବ୍ଲକରେ ଅବସ୍ଥା ବେହାଲ୍ ହୋଇ ଯାଇଛି। ରାଜଧାନୀ ଭୁବନେଶ୍ବରୁ ବାଲେଶ୍ବର ଏବଂ ପୁରୀରୁ ବ୍ରହ୍ମପୁର ସବୁଠି ସାଂଘାତିକ ପରିସ୍ଥିତି ଦେଖିବାକୁ ମିଳିଛି। କେଉଁଠି ଆଣ୍ଡୁଏ ଉଚ୍ଚର ପାଣି ବହୁଛି ତ କେଉଁଠି ଚାଷ ଜମିରେ ବର୍ଷା ପାଣି ଲହଡି ଭାଙ୍ଗୁଛି। କେଉଁଠି ଘରେ ପାଣି ପଶି ଯାଇଛି ତ ଆଉ କେଉଁଠି କୋହଲା ପାଗ ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି। ଲଘୁଚାପ ବର୍ଷାରେ ଓଡ଼ିଶାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ବର୍ଷାରେ ଆଲୋକର ପର୍ବ ଦୀପାବଳି ଏବଂ କାଳୀପୂଜା ଫିକା ପଡ଼ି ଯାଇଛି। ଦୀପାବଳି ପର୍ବ ବର୍ଷାରେ ଧୋଇ ହୋଇ ଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡ଼ିଛି। ଅବପାତକୁ ଦୃଷ୍ଟିରେ ରଖି ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।
ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାର ୨୫ଟି ବ୍ଲକରେ ଅତି ପ୍ରବଳ ବର୍ଷା ହୋଇଛି। ପୁରୀ ଜିଲ୍ଲା କଣାସ ବ୍ଲକରେ ସର୍ବାଧିକ ୨୭୪ ମିମି ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ଖୁଣ୍ଟା ଏବଂ ଗୋପବନ୍ଧୁ ନଗରରେ ୨୧୭ ମିମି ବର୍ଷା ରେକର୍ଡ କରାଯାଇଛି। ଜଗତସିଂହପୁର ତିର୍ତ୍ତୋଲ ବ୍ଲକରେ ୨୦୦ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ରିଲିଫ୍ କମିଶନର ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି। ବାଲେଶ୍ବର, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here