ରାଜନୀତିରେ କେତେବେଳେ କ’ଣ ଘଟିବ ତାହା କହିବା କଷ୍ଟ। ଆଉ ଯଦି  କଂଗ୍ରେସର ସଭାପତି ପଦ କଥା ଉଠେ ଅନିଶ୍ଚିତତା ନରହିବ ବୋଲି କେହି କହି ପାରିବେ ନାହିଁ। ସେ ଯାହାହେଉ ସବୁ କଳ୍ପନା ଜଳ୍ପନା  ଓ ଅନୁମାନର ଅବସାନ ଘଟିବାକୁ ଯାଉଛି।

ଏକ ବଡ଼ ଖବର ଆସୁଛି ଯେ, ଆସନ୍ତା ୧୯ ତାରିଖରେ ଜେଜେମା ତଥା କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜନ୍ମଦିନରେ କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧି ଅଭିଷିକ୍ତ ହେବେ।
ଶନିବାର ଦିନ ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘରେ ଏ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ସାଙ୍ଗଠନିକ  ନିର୍ବାଚନ ପ୍ରକ୍ରିୟା,ରାହୁଲଙ୍କ ଦାୟିତ୍ୱ ଗ୍ରହଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ରବିବାର ଦିନ ମଧ୍ୟ ହେବ। ୨୪ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଓ ଏଥିରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ହେବା ସଂକ୍ରାନ୍ତ ନିଷ୍ପତ୍ତି ଉପରେ ମୋହର ଲାଗିବ।
ଶୁଣାଯାଉଛି ରାହୁଲଙ୍କ ଦାୟିତ୍ୱ ଗ୍ରହଣର ଟିକିନିଖି ସବୁ କଥା ସୋନିଆ ଗାନ୍ଧି ନିଜେ ବୁଝୁଛନ୍ତି। ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନୀ। ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନେପଥ୍ୟରେ ରହି ମା’ଙ୍କୁ ଏହି କାମରେ ସହାୟତା କରୁଛନ୍ତି।

 

 

Comment