ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ନବୀନ ପଟ୍ଟନାୟକ। କହିଛନ୍ତି, ଆମେ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମାନ ଦୂରରେ ରହିଛୁ।

ପୁଣିଥରେ ପୁରୁଣା କଥାକୁ ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ, ଆମେ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ରଖିଆସୁଛୁ। ଫଳରେ କଂଗ୍ରେସ-ବିଜେଡି ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ନବୀନ ପୂର୍ଣ୍ଣଛେଦ ପକାଇଛନ୍ତି।
ବିଜେପିକୁ ମାତ୍‌ ଦେବା ପାଇଁ ଓଡ଼ିଶାରେ ଅଣ-ବିଜେପି ଶକ୍ତି ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ଦାମ ରାଉତ। ବିଜେପିକୁ ଦୂରରେ ରଖିବା ପାଇଁ କଂଗ୍ରେସ ସହ ମେଣ୍ଟ କରିବା କିଛି ଅସମ୍ଭବ ନୁହେଁ ବୋଲି ଡାକ୍ତର ରାଉି ଇସାରା ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଗତ ଦୁଇ ଦିନ ହେଲା ଝଡ଼ ଉଠିଥିଲା। କଂଗ୍ରେସ ନେତା କୌଣସି ପ୍ରତିକ୍ରିୟା ନଦେଇ ଏଆଇସିସି କୋର୍ଟକୁ ବଲ୍ ଗଡ଼ାଇ ଦେଇଥିଲେ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସହ ଶାସକ ବିଜେଡି କେମିତି ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବ ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ଏହି ଚର୍ଚ୍ଚାରେ ନବୀନ ପୂଣ୍ଣଛେଦ ପକାଇଛନ୍ତି। ବିଜେପି ଆମଠାରୁ ଯେତିକି କଂଗ୍ରେସ ସେତିକି ଦୂର ବୋଲି କହିଛନ୍ତି।
ଗତବର୍ଷ ଭର୍ତ୍ତୃହରି ମହତାବ ମଧ୍ୟ କଂଗ୍ରେସ ଅଛୁଆଁ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ଏହା ଭର୍ତ୍ତୃହରିଙ୍କ ବ୍ୟକ୍ତିଗତ ମତ ବୋଲି ଦଳ ସେତେବେଳେ କହିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କଂଗ୍ରେସ, ବିଜେପିଠାରୁ ଆମେ ସମାନ ଦୂରତା ରଖି ଆସୁଛୁ ବୋଲି କହିଥିଲେ। ତେବେ ୧୦ ମାସ ପରେ ପୁଣି ଡାକ୍ତର ରାଉତ ଭର୍ତ୍ତୃହରିଙ୍କ ରାସ୍ତାରେ ପାଦ ଦେବା ପଛର ରହସ୍ୟ କ’ଣ ତାକୁନେଇ ରାଜନୀତିକ ମହଲ କାରଣ ଖୋଜୁଛି।
ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଏକାକୀ ଚାଲୁଛି। ୨୦୧୪ରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ପରେ ବିଜେଡି ଏଥିରେ ସାମିଲ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନବୀନ ସେତେବେଳେ ମଧ୍ୟ କହିଥିଲେ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ସମାନ ଦୂରତା ରଖିବ। ବାରମ୍ବାର ନବୀନ ଏହା କହିବା ସତ୍ତ୍ୱେ ତାଙ୍କ ଦଳର ନେତା କାହିଁକି ମେଣ୍ଟ କଥା ଉଠାଉଛନ୍ତି ତାହା ବୁଝା ପଡ଼ୁନି।

Comment