ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ ଅଲଗା ହୋଇଛନ୍ତି ଜଗା-କାଳିଆ। ଉଭୟଙ୍କୁ ଦିଲ୍ଲୀ ଏମ୍‌ସର ଭେଣ୍ଟିଲେଟରରେ ରଖାଯାଇଛି। ଆଗାମୀ ୧୮ ଦିନ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

ଯୋଡ଼ା ମୁଣ୍ଡରୁ ଅଲଗା ହେବା ପରେ ଜଗା-କାଳିଆ ଦିଲ୍ଲୀ ଏମ୍‌ସର ଭେଣ୍ଟିଲେଟରରେ ଅଛନ୍ତି। ଉଭୟଙ୍କୁ ପୃଥକ୍ ପୃଥକ୍‌ ଚିକିତ୍ସା କରାଯାଉଛି। ତେବେ ଆଗାମୀ ୧୮ ଦିନ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ସମୟରେ ଉଭୟଙ୍କ ମସ୍ତିଷ୍କ ସ୍ବତନ୍ତ୍ର ଭାବେ କାମ କରିବାକୁ ସହାୟକ ହେବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ଅପରେସନ୍ ପରେ ଜଗା-କାଳିଆଙ୍କ ଉପରୁ ବିପଦ ଟଳି ନଥିବା ଜଣାପଡ଼ିଛି।
ଜନ୍ମରୁ ଉଭୟଙ୍କ ମସ୍ତିଷ୍କ ଯୋଡ଼ା ହୋଇ ରହିଥିଲା। ଏବେ ଅପରେସନ୍ ପରେ ଅଲଗା କରାଯାଇଛି। ମସ୍ତିକଷ୍କ ଟିସୁ, ସିରା ପ୍ରସିରା ଏବଂ ଗୁରୁତ୍ବପୂର୍ଣ୍ଣ ରକ୍ତ ବାହିକା ଅଲଗା କରାଯାଇଛି। ଏବେ ଦୁଇଟି ମସ୍ତିଷ୍କ କିପରି ପୃଥକ୍‌ ପୃଥକ୍‌ ଭାବେ କାମ କରିବ ତାହା ହିଁ ବଡ଼ ଚାଲେଞ୍ଜ ବୋଲି ଏମ୍‌ସର ନ୍ୟୁରୋ ସର୍ଜନମାନେ ମତ ଦେଉଛନ୍ତି। ଏହାସହ ଉଭୟଙ୍କ ଶରୀର କିପରି ଅଲଗା ଅଲଗା ଭାବେ କାମ କରୁଛି ତା ଉପରେ ନଜର ରଖିଛନ୍ତି ଏମ୍‌ସ ବିଶେଷଜ୍ଞ ଟିମ୍।
ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହେବା ପରେ ମସ୍ତିଷ୍କର ଅଂଶକୁ ଖପୁରୀ ଆବରଣ କରାଯିବ। ଏହାସହ କୃତ୍ରିମ ସିରା ପ୍ରସିରା ମାଧ୍ୟମରେ ମସ୍ତିଷ୍କକ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରାଯିବ।
ଏପଟେ ଜଗା-କାଳିଆଙ୍କ ଆରୋଗ୍ୟ କାମନା କରି ଓଡ଼ିଶାରେ ପ୍ରାର୍ଥନା ଜାରି ରହିଛି। ବାଲେଶ୍ବରରୁ କଳାହାଣ୍ଡି ଏବଂ ବ୍ରହ୍ମପୁରରୁ କଟକ ସବୁଠି ଲୋକେ ପୂଜାର୍ଚ୍ଚନା କରିଛନ୍ତି। ଜଗା-କାଳିଆଙ୍କୁ ସୁସ୍ଥ କରି ଓଡ଼ିଶା ଫେରାଇ ଆଣିବା ପାଇଁ ଲୋକେ ବିଭିନ୍ନ ମନ୍ଦିରରେ ଦୀପ ଜାଳିଛନ୍ତି।
ଫୁଲବାଣୀ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁଙ୍କ ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ବୁଧବାର ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ଉଭୟଙ୍କୁ ଓଟିରେ ଭର୍ତ୍ତି କରାଯିବା ପରେ ୯ଟା୩୦ରେ ସେମାନଙ୍କ ଅପରେସନ୍ ଆରମ୍ଭ ହୋଇଥିଲା। ରାତି ୮ଟା୪୫ ମିନିଟରେ ଉଭୟଙ୍କୁ ଅଲଗା କରାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି। ଏହି ଅପରେସନ୍‌ରେ ୩୦ ଜଣ ବିଶେଷଜ୍ଞ ଟିମ୍ ସାମିଲ୍ ହୋଇଥିଲେ। ୨୦ ଜଣ ନ୍ୟୁରୋ ସର୍ଜନ୍‌ଙ୍କ ସମେତ ୧୦ ଜଣ ନିଶ୍ଚେତକ ସାମିଲ୍ ହୋଇଥିଲେ। ଉଭୟଙ୍କୁ ଅଲଗା କରାଯିବା ପରେ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ ହୋଇଥିଲା। ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପ୍ଲାଷ୍ଟିକ ସର୍ଜରୀ ଚାଲିବା ପରେ ଉଭୟଙ୍କୁ ଅବଜରଭେସନ୍‌ରେ ରଖାଯାଇଥିଲା। ଗୁରୁବାର ସକାଳୁ ତାଙ୍କୁ ଓଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here