ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋଲକଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି
  • ଅମିତ୍ ଶାହାଙ୍କୁ କ୍ରିମିନାଲ କହିଲେ ଦେବାଶିଷ
  • ଗୋଲକଙ୍କୁ କାହିଁକି ଗିରଫ କରାଯାଇନି ପ୍ରଶ୍ନ କଲେ ମହାରଥୀ
  • ଭୁବନେଶ୍ୱର ଡିସିପି ଅଫିସ ଘେରିଲା ଓଡ଼ିଶା ଲୋକଦଳ
ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପାଇଁ ଅଡ଼ୁଆରେ ପଡ଼ିଛି ବିଜେପି। ତାଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଦଳ ପ୍ରାଣପଣେ ଉଦ୍ୟମ ଚଳାଇଥିଲେ ମଧ୍ୟ ବିଜେଡିର ରଣହୁଙ୍କାର ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ଗତ ଦୁଇ ଦିନ ହେଲା ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଜେଡି ନେତା ବିଜେପିକୁ ଘେରିବା ପରେ ଆଜି ଗୋଲକଙ୍କ ଗିରଫ ଦାବି କରିଛନ୍ତି।
ଗୋଲକଙ୍କ ଗିରଫ ଦାବିରେ ଆଜି ବିଜେଡି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାସହ ଗୋଲକଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ।
ଏପଟେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ସିଧାସଳଖ ଗୋଲକଙ୍କୁ ଟାର୍ଗଟେ କରିଛନ୍ତି। ଛତ୍ରପୁର କାଉନସିଲର ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀଙ୍କ ସହ ବିଜେପି ଲିଙ୍କ୍ ରଖି ଦୋଷ ଖସାଇବା ପାଇଁ ବିଜେଡିକୁ ଦାୟୀ କରୁଛି ବୋଲି ଦେବାଶିଷ କହିଛନ୍ତି।
ଦେବାଶିଷ କହିଛନ୍ତି, “ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜେ ଜଣେ କ୍ରିମିନାଲ। ଏଣୁ ତାଙ୍କଠାରୁ ଏବଂ ତାଙ୍କ ଦଳର ନେତାଙ୍କ ପାଖରୁ ଆଉ କଣ ଆଶା କରାଯାଇପାରେ।”
ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ଗୋଲକଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ମହାରଥୀ ପ୍ରଶ୍ନ କରିଛନ୍ତି।
ବିଜେଡି ଭଳି ଓଡ଼ିଶା ଲୋକ ଦଳ ମଧ୍ୟ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଡିସିପି ଅଫିସ ଘେରାଉ କରି ଲୋକଦଳର କର୍ମକର୍ତ୍ତା ଗୋଲକ ମହାପାତ୍ରଙ୍କ ଗିରଫ ଦାବି କରିଛନ୍ତି।
ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଉତ୍ତରାଖଣ୍ଡରୁ ଗିରଫ ହୋଇଛନ୍ତି। ସେମାନେ ହେଲେ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି। ଦୁଇ ଅଭିଯୁକ୍ତଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ରଙ୍କ ଲିଙ୍କ୍‌ ଥିବା ଭିଡିଓ ରେକର୍ଡରୁ ଜଣାପଡ଼ିବା ପରେ ଗୋଲକ ଅଡ଼ୁଆରେ ପଡ଼ିଛନ୍ତି।

Comment