(ଓଡ଼ିଶାଲାଇଭ୍‌ ବ୍ୟୁରୋ)

  • ମୃତଚାଷୀ ବୃନ୍ଦା ସାହୁଙ୍କୁ ନେଇ ରାଜନୀତି ଗୋଳିଆ
  • କଂଗ୍ରେସର ଦାବି ୨୦ ଲକ୍ଷ ଟଙ୍କାର ସହାୟତା
  • ବିଜେପି କହିଲା ବୃନ୍ଦା ସାହୁଙ୍କ ପୁଅ-ଝିଅ ପାଠପଢ଼ା ଆମେ ବୁଝିବୁ
  • ବିଜେଡିର ଦାବି ଯାହା କରିବେ ଆମ ସରକାର
  • ନେତାଙ୍କ ପ୍ରତିଶ୍ରୁତିକୁ ଭରସି ପାରୁନାହାନ୍ତି ପରିବାର

ବରଗଡ଼ ଜିଲ୍ଲାର କଳାପାଣି ଗାଁରେ ଏବେ ଛାଇ ଯାଇଛି ଦୁଃଖର ଛାୟା। ଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ନେଇ ଏହି ଗାଁ ସତେ ଯେମିତି ସ୍ତବ୍ଧ ହୋଇଯାଇଛି। ହେଲେ ଏଥିରୁ ରାଜନୈତିକ ଫାଇଦା ନେବା ଲାଗି ପ୍ରତିଦିନ ନେତାଙ୍କ ସୁଅ ଛୁଟୁଛି କଳାପାଣିକୁ। ଯେପରି କଳାପାଣି ଏବେ ପାଲଟି ଯାଇଛି ରାଜଧାନୀ ଭୁବନେଶ୍ବର। ନେତାଙ୍କ ଧାଁ ଦୌଡ଼ରେ କଳାପାଣି ଚଳଚଞ୍ଚଳ ହୋଇ ଉଠିଛି। ପ୍ରତିଦିନ ନେତା ଆସୁଛନ୍ତି। ମୃତ ଚାଷୀ ବୃନ୍ଦା ସାହୁର ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି। ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନେତାଙ୍କ ପ୍ରତିଶ୍ରୁତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାରବର୍ଗ। କାରଣ ନେତା ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ନୁହନ୍ତି ବୋଲି ବୃନ୍ଦାଙ୍କ ଝିଅ କହିଛନ୍ତି।

ଚକଡ଼ା ପୋକର ଦୌରାତ୍ମ୍ୟ ସହି ନପାରି ଫସଲ ଜାଳିଦେବା ସହ ଜୀବନ ହାରିଥିଲେ ବୃନ୍ଦା ସାହୁ। ଏହାକୁନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ପ୍ରଥମେ ଗୁରୁବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ କଂଗ୍ରେସର ଏକ ଟିମ୍‌ ବୃନ୍ଦା ସାହୁଙ୍କ ଘରକୁ ଯାଇଥିଲେ। ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିବା ସହ ୨୦ ଲକ୍ଷ ଟଙ୍କାର ସହାୟତା ଦେବା ଲାଗି ଦାବି କରିଛନ୍ତି।

ସହାୟତା ଏବଂ କୃଷି ଋଣ ଛାଡ଼ ଦାବିରେ ଆଜିଠାରୁ କଂଗ୍ରେସ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣାରେ ବସିଛି। କଂଗ୍ରେସର ଚାଷୀ ରାଜନୀତିକୁ ଦେଖି ବିଜେପିର ଏକ ଟିମ୍‌ ମଧ୍ୟ ଆଜି ବରଗଡ଼ ଆସିଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା ବୃନ୍ଦା ସାହୁ ଘରକୁ ଯାଇ ସମବେଦନା ଜଣାଇ ଭୁବନେଶ୍ବର ଫେରି ଆସିଲେ। ମୃତ ବୃନ୍ଦା ସାହୁର ପୁଅ, ଝିଅଙ୍କ ପାଠପଢ଼ା ଖର୍ଚ୍ଚ ତାଙ୍କ ଦଳ ବୁଝିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବିଜେପି ଏବଂ କଂଗ୍ରେସର ଏହି ପଲିଟିକ୍ସ ଭିତରେ ବିଜେଡି ଧସେଇ ପଶିଛି। ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ବୃନ୍ଦା ପରିବାର ସହ ଆମ ସରକାର ଅଛନ୍ତି। ଆମେ ତାଙ୍କୁ ଥଇଥାନ କରିବୁ।

କଂଗ୍ରେସ-ବିଜେପି-ବିଜେଡି ପରେ ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି କଳାପାଣିକୁ ଯାଇ ବୃନ୍ଦାଙ୍କ ପତ୍ନୀ ଏବଂ ଝିଅଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛି। ସକାଳୁ ସନ୍ଧ୍ୟା ଯାଏଁ ବୃନ୍ଦାଙ୍କ ଘରେ ନେତାଙ୍କ ପାଦ ପଡ଼ୁଛି। ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏହି ପ୍ରତିଶ୍ରୁତି ଉପରେ ବୃନ୍ଦାଙ୍କ ଝିଅ ଅମ୍ରିତା ସାହୁ ପ୍ରଶ୍ନ ଉଠାଇଛନ୍ତି।

ଅମ୍ରିତା କହିଛନ୍ତି, “୭ ବର୍ଷ ତଳେ ପ୍ରଶାସନ ଆମ ଘର ଭାଙ୍ଗିଦେଲା। ସେତେବେଳେ ବହୁ ନେତା ଆସି ଆମକୁ ପ୍ରତିଶ୍ରୁତି ଦେଲେ ଘର ଦେବା ପାଇଁ। ହେଲେ କିଛି ଲାଭ ହେଲାନାହିଁ।”

ଏବେ ବୃନ୍ଦାଙ୍କ ଅବର୍ତ୍ତମାନରେ ନେତା ରାଜନୀତି ଗୋଟି ଚଳାଇଛନ୍ତି। ତେବେ ନେତା ତାଙ୍କ ପ୍ରତିଶ୍ରୁତି ରକ୍ଷାରେ କେତେ ସମର୍ଥ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment