(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା। ୨୦୧୫ରେ ଦେବାହାଲ ଗ୍ରାମର ଚାଷୀ ସାନନ୍ଦ କାଥାରାଙ୍କ ଆତ୍ମହତ୍ୟାକୁ ନେଇ ଯେମିତି ରାଜନୀତି ହୋଇଥିଲା ଏବେ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କୁ ନେଇ ଚାଲିଛି। ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଦୁଇ ବର୍ଷ ତଳେ କଂଗ୍ରସ-ବିଜେଡି-ବିଜେପିର ସର୍ବୋଚ୍ଚ ନେତା ବରଗଡ଼ ଆସି ପ୍ୟାକେଜ ଘୋଷଣା କରିଥିଲେ ବି ଆତ୍ମହତ୍ୟା ବନ୍ଦ ହେବାର ନାଁ ଧରୁନି।

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ପଡ଼ିଛି ଚଡ଼କ। ଫସଲହାନି ଏବଂ ଚକଡ଼ା ପୋକର ଦୌରାତ୍ମ୍ୟ ଯୋଗୁଁ ଜଣକ ପରେ ଜଣେ ଚାଷୀ ହାରୁଛନ୍ତି ଜୀବନ। ୧୫ ଦିନରେ ୫ ଜଣ ଚାଷୀ କେବଳ ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ରାଜନୀତି ହୋଇଯାଇଛି ସରଗରମ୍‌। ଚାଷୀଙ୍କୁ ଅସ୍ତ୍ର କରି ଆରୋପ ପ୍ରତ୍ୟାରୋପ ଚାଲିଥିଲେ ମଧ୍ୟ ଆତ୍ମହତ୍ୟା ବନ୍ଦ ହେବାର ନାଁ ଧରୁନି। ଆତ୍ମହତ୍ୟା ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିଥିଲେ ବି କିଛି ସୁଫଳ ମିଳୁନାହିଁ।

ବରଗଡ଼ ଆସିଥିଲେ ରାହୁଲ-ନବୀନ-ମୋଦି

୨ ବର୍ଷ ତଳେ ବରଗଡ଼ ଜିଲ୍ଲାର ଚାଷୀ ଆତ୍ମହତ୍ୟା ସାରା ଦେଶରେ ଚର୍ଚ୍ଚାରେ ରହିଥିଲା। ବରଗଡ଼ ଜିଲ୍ଲା ସଦର ବ୍ଲକ ଦେବାହାଲ ଗାଁର ଚାଷୀ ସାନନ୍ଦ କଥାରା ଫସଲହାନି ଯୋଗୁଁ ଜୀବନ ହାରିବା ପରେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଫଳରେ ଜାତୀୟ ସ୍ତରର ନେତା ବରଗଡ଼ ଧାଇଁ ଆସିଥିଲେ। ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ତଥାପି ଚାଷୀ ଆତ୍ମହତ୍ୟାରେ ରୋକ୍ ଲାଗିପାରିନି। ଦୁଇ ବର୍ଷ ପରେ ପୁଣି ଚାଷୀ ଆତ୍ମହତ୍ୟାକୁ ନେଇ ବରଗଡ଼ ଚର୍ଚ୍ଚାରେ ରହିଛି।

୨୦୧୫ ମସିହା ମେ ୧୦ ତାରିଖ। ଆତ୍ମହତ୍ୟା କରିଥିବା ଚାଷୀ ସାନନ୍ଦ କଥାରାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ଛୁଟି ଆସିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ମୃତ ସାନନ୍ଦଙ୍କ ପୁଅ ସହ କଥା ହେଲେ। ଏହାସହ ଦେବାହାଲରୁ ଅତାବିରା ପର୍ଯ୍ୟନ୍ତ ପଦଯାତ୍ରା କରି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ରାହୁଲଙ୍କ ପଦଯାତ୍ରା ବିଜେଡି ଶିବିରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ ବରଗଡ଼। ୨୦୧୬ ନଭେମ୍ବର ୨୪ରେ କରିଥିଲେ ସମାବେଶ। ଫସଲହାନିର ଶିକାର ହୋଇଥିବା ଚାଷୀଙ୍କୁ ସହାନୁଭୂତି ଦେଖାଇଥିଲେ। ୨୦୧୫ ଖରିଫ୍ ଋତୁରେ ୧୧.୬୧ ଲକ୍ଷ ପରିବାରଙ୍କୁ ୧,୭୭୬ କୋଟି ଟଙ୍କାର ଫସଲ ବୀମା ଯୋଗାଇଦେବା ପାଇଁ ଘୋଷଣା କରିଥିଲେ। କେବଳ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାର ୬ ଲକ୍ଷ ପରିବାର ଏଥିରେ ଉପକୃତ ହେବେ ବୋଲି କହିଥିଲେ। ହେଲେ ଏହି ଘୋଷଣା ଚାଷୀଙ୍କ ମନରେ କୌଣସି ପ୍ରଭାବ ପକାଇନି। ଫଳରେ ଚାଷୀ ପ୍ରତିଦିନ କେଉଁଠି ନା କେଉଁଠି ଆତ୍ମହତ୍ୟା କରୁଛନ୍ତି।

କଂଗ୍ରେସ ଏବଂ ବିଜେଡିର ସର୍ବୋଚ୍ଚ ନେତାଙ୍କ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବରଗଡ଼ ଆସିଥିଲେ। ୨୦୧୬ ଫେବୃଆରୀ ୨୧ରେ ମୋଦି କୃଷକ ସମାବେଶରେ ଯୋଗଦେଇ ଚାଷୀ କାର୍ଡ ଖେଳିଥିଲେ। କେନ୍ଦ୍ର ସରକାର ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି କହି କାର୍ଡ ଖେଳିଥିଲେ। ଓଡ଼ିଶା ଦ୍ବିତୀୟ ସବୁଜ ବିପ୍ଲବର ନେତୃତ୍ବ ନେବ କହି ଚାଷୀଙ୍କ ମନ ଜିଣିଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ଚାଷୀ ଜୀବନ ହାରୁଛନ୍ତି।

୧୦ ବର୍ଷରେ ଜୀବନ ହାରିଲେଣି ୧୮୯୫ ଚାଷୀ

ଓଡ଼ିଶା ବିଧାନସଭାର ଗତ ବଜେଟ ଅଧିବେଶନରେ ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ୨୦୦୫ରୁ ୨୦୧୪ ଭିତରେ ୧୮୯୫ ଚାଷୀ ପ୍ରାଣ ହରାଇଥିବା ତଥ୍ୟ ଦେବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆତ୍ମହତ୍ୟା କରୁଥିବା ଚାଷୀଙ୍କ ଭିତରେ ୨୪୭ ଜଣ ମହିଳା ଅଛନ୍ତି ବୋଲି ମହାରଥୀ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ।

୨୦୦୫ରେ ୨୫୪, ୨୦୦୬ରେ ୨୮୩, ୨୦୦୭ରେ ୨୪୦, ୨୦୦୮ରେ ୨୬୦ ଚାଷୀଙ୍କ ପ୍ରାଣହାନି ଘଟିଛି। ଏବେ ବି ଓଡ଼ିଶାରେ ଚାଷୀଙ୍କ ଜୀବନ ଅକାଳରେ ଯାଉଛି। ଫସଲ ହାନି, ଋଣ ଭାର ଏବଂ ପୋକ ଦାଉ ସହି ନପାରି ଚାଷୀ ତାର ଜୀବନ ଦେବାକୁ ପଛାଉ ନାହିଁ। ଫଳରେ ଏହାକୁ ନେଇ ରାଜନେତାମାନେ ତୁମ୍ବି ତୋଫାନ କରୁଛନ୍ତି।

 

Comment