(ଓଡ଼ିଶାଲାଇଭ୍‌ ବ୍ୟୁରୋ)

୩ ଦିନ ହେଲା ପ୍ରଦୂଷଣ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ଦିଲ୍ଲୀବାସୀ। କୁହୁଡ଼ି ଓ ଧୂଆଁରେ ପେଶି ହୋଇଗଲେଣି ସହରବାସୀ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅଡ୍‌ ଇଭିନ୍‌ ନିୟମ ପୁଣି ଲାଗୁ କରିଛନ୍ତି।

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ପୁରା ସହର କୁହୁଡ଼ି ଓ ଧୂଆଁରେ ହୋଇଛି ଆଚ୍ଛାଦିତ। ଲଗାତାର ତୃତୀୟ ଦିନ ପାଇଁ ଭାରତର ରାଜଧାନୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁଗ୍ମ ଅଯୁଗ୍ମ ଗାଡ଼ି ଚଳାଚଳ ନିୟମ ପୁଣି ଲାଗୁ କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି।

ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ୪୦୦ରୁ ୭୦୦ ମଧ୍ୟରେ ରେକର୍ଡ କରାଯାଇଛି। ପଞ୍ଜାବୀ ବାଗ ଏବଂ ଆର କେ ପୁରମ୍‌ରେ ପ୍ରଦୂଷଣ ସ୍ତର ଅଚାନକ ବୃଦ୍ଧି ପାଇଛି।

ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଚୁର ପାଣି ପିଇବା ସହ ମାସ୍କ ବ୍ୟବହାର କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ସରକାରୀ ବସ୍‌ ଏବଂ ମେଟ୍ରୋ ଟ୍ରେନ୍‌ରେ ଯାତାୟାତ କରିବା ଲାଗି ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଆବଶ୍ୟକତା ଦେଖି ମେଟ୍ରୋ ଟ୍ରେନ୍‌ ଅଧିକ ଥର ଚଳାଚଳ କରାଯାଉଛି। ପ୍ରଦୂଷଣ ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ୪୧ଟି ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ବେଳେ ୯ଟି ଟ୍ରେନ୍‌ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି। ୧୦ଟି ଟ୍ରେନ୍‌ ବାତିଲ କରାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଅଡ୍‌ ଇଭିନ୍‌ ନିୟମ ଲାଗୁ ହୋଇଛି। ପରିବହନ ମନ୍ତ୍ରୀ କୈଳାଶ ଗୋହଲୋତ ପ୍ରେସମିଟରେ କହିଛନ୍ତି, “ଏହି ନିୟମ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ରହିବ। ହେଲେ ସିଏନ୍‌ଜି ଦ୍ବାରା ପରିଚାଳିତ ଗାଡ଼ି ପାଇଁ ଏହି ନିୟମ ଲାଗୁ ହୋଇନାହିଁ।”

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୩,୧୫,୧୭ ତାରିଖରେ ଅଡ୍‌ ନମ୍ବର ଗାଡ଼ି ଏବଂ ୧୪ ଓ ୧୬ ତାରିଖରେ ଇଭିନ୍‌ ନମ୍ବର ଗାଡ଼ି ରାସ୍ତାରେ ଚାଲି ପାରିବ। ୦,୨,୪,୬ ଏବଂ ୮ ଇଭିନ ନମ୍ବରରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅଡ୍‌ ନମ୍ବରରେ ୧,୩,୫,୭ ଏବଂ ୯ ରହିଛି।

 

Comment