ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ପ୍ରତି ବ୍ଲକର ୧୦ ପିଲାଙ୍କୁ ମିଳିବ ୫ ହଜାର
  • ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମେଧାବୃତ୍ତି
  • ଶୁଭାରମ୍ଭ ହେବ ‘ମୋ ସ୍କୁଲ କ୍ୟାମ୍ପେନ୍‍’
  • ଗଠନ ହେବ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି

“ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଥିବା ପ୍ରତି ବ୍ଲକର ୧୦ ଜଣ ପିଲାଙ୍କୁ ମିଳିବ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର। ସାରା ରାଜ୍ୟରେ ୪୦ ହଜାର ପିଲାଙ୍କୁ ମିଳିବ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର। ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମିଳିବ ମେଧାବୃତ୍ତି। ପୁରୁଣା ଛାତ୍ରଙ୍କୁ ସ୍କୁଲ ସହ ଯୋଡ଼ିବା ପାଇଁ ଶୁଭାରମ୍ଭ କରାଯିବ ମୋ ସ୍କୁଲ କ୍ୟାମ୍ପେନ୍‍‍। ଏଥିପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯିବ” – ଶିଶୁଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି।

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସବୁ କ୍ଷେତ୍ରରେ ସଫଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଚାହୁଁଛି ସବୁ ପିଲା ସ୍କୁଲ୍‍ ଆସନ୍ତୁ। ପାଠ ପଢ଼ି ଭଲ ମଣିଷ ହୁଅନ୍ତୁ। ସବୁକ୍ଷେତ୍ରରେ ଆମ ରାଜ୍ୟର ପିଲା ଆଗକୁ ଯାଆନ୍ତୁ। ପାଠ ପଢ଼ିବା ସହ କ୍ରୀଡ଼ା, ସଙ୍ଗୀତ ଓ ସମାଜସେବା ଆଦି କ୍ଷେତ୍ରରେ ଆମ ରାଜ୍ୟର ପିଲାମାନେ ସଫଳତା ହାସଲକରି ରାଜ୍ୟର ଗୌରବ ବଢ଼ାନ୍ତୁ। ”

ପିଲାମାନଙ୍କ ଉପରେ ୩ଟି ଦାୟିତ୍ୱ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ୩ଟି ଦାୟିତ୍ୱ ସମ୍ପର୍କରେ ଅବଗତ କରିଛନ୍ତି। ଭଲ ପାଠପଢ଼ିବା ଓ ନିଜ ସ୍ୱପ୍ନକୁ ସାକାର କରିବା, ଅଭିଭାବକଙ୍କ ପ୍ରତି ସବୁବେଳେ ଧ୍ୟାନ ଦେବା ଏବଂ ନିଜ ଜନ୍ମମାଟି ପାଇଁ କିଛି କରିବା ସହ ଦେଶ ଜାତି ପାଇଁ କାମ କରିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମଧୁବିଜୁବାବୁଙ୍କ ଭଳି ହୁଅ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଉଦ୍‌ବୋଧନ ଆରମ୍ଭ କରିଥିଲେ। କହିଥିଲେ, ମଧୁବାବୁ ପିଲାଦିନେ ପାଠ ପଢ଼ିବା ବେଳେ ନିଜ ଗାଁ ରାସ୍ତା ତିଆରି କରିଥିଲେ। ବଡ଼ ହେବା ପାରେ ଏ ଜାତି ପାଇଁ ଲଢ଼େଇକରି ସ୍ୱାଭିମାନର ବାର୍ତ୍ତା ଦେଇଯାଇଛନ୍ତି। ସେହିପରି ବିଜୁବାବୁ ମଧ୍ୟ ସାହସିକତାର ସହ ସବୁ କାମ କରୁଥିଲେ। ବିଜୁବାବୁଙ୍କ ସାହସ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିଛନ୍ତି। ଏଣୁ ମଧୁ ଏବଂ ବିଜୁବାବୁଙ୍କ ଭଳି କାମକରି ଦେଶ, ଜାତିର ନାଁ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

ପିଲାମାନଙ୍କ ଉପରେ ଭରସା ଅଛି

ଆମ ରାଜ୍ୟର ପିଲାମାନଙ୍କ ଉପରେ ମୋର ଭରସା ଅଛି। ସେମାନେ ସେମାନଙ୍କ କ୍ଷେତ୍ରରେ ନିଶ୍ଚିତ ସଫଳତା ପାଇବେ। ବର୍ତ୍ତମାନ ଆମ ରାଜ୍ୟର ବହୁ ପିଲା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଛନ୍ତି। ସେମାନଙ୍କୁ ଦେଖି ମୁଁ ବହୁତ ଗର୍ବ ଅନୁଭବ କରୁଛି।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଥିଲା ରାଜ୍ୟ ସ୍ତରୀୟ ଶିଶୁ ଦିବସ ଉତ୍ସବ। ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଏହାସହ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ସତ୍ୟଜିତ୍‍ ଉତ୍ସବର ଆକର୍ଷଣ ପାଲଟିଥିଲେ।

1 COMMENT

Comment