ଓଡ଼ିଶାଲାଇଭ୍ବ୍ୟୁରୋ

ଭିଜନ-୨୦୨୫ ଉପରେ ଫୋକସ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଶିଳ୍ପର ବିକାଶ କରିବା ଲକ୍ଷ୍ୟ ନେଇ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୫ଟି ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ।

  • ୧୫ଟି ପ୍ରକଳ୍ପ ପାଇଁ ୧୧ ହଜାର ୬୯୦ କୋଟିର ବ୍ୟବୟବରାଦ
  • ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମିଳିବ ୯ ହଜାରରୁ ଅଧିକ ନିଯୁକ୍ତି
  • ୨୦୨୫ ସୁଦ୍ଧା ସୃଷ୍ଟି ହେବ ୩୦ ଲକ୍ଷ ନୂଆ ନିଯୁକ୍ତି
  • ୨୦୧୮ ନଭେମ୍ବର ୧୧ରେ ‘ମେକ୍‌ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍

ଓଡ଼ିଶାରେ ଶିଳ୍ପ ବିକାଶ ଉପରେ ଫୋକସ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ଆଜି ମୁଖ୍ୟମନ୍ତ୍ରୀ ୧୫ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଛନ୍ତି। ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

୧୫ଟି ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରର ଫାଲକନ୍‌ ମେରାଇନ୍‌ ଏକ୍ସପର୍ଟ ଲିମିଟେଡର ସିଫୁଡ ପ୍ରୋସେସିଂ ପ୍ଲାଣ୍ଟ। ଏହି ପ୍ଲାଣ୍ଟକୁ ଦେଶର ସବୁଠାରୁ ବୃହତ ସିଫୁଡ ପ୍ଲାଣ୍ଟ ବୋଲି କୁହାଯାଉଛି। କଟକର ରାମଦାସପୁରଠାରେ ଥିବା ଭାରତ ମସଲାର ସଂପ୍ରସାରଣକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଇଣ୍ଡୋ ନିସିନ୍‌ ଫୁଡ୍‌ସ ପ୍ରାଇଭେଟ୍ ଲିମିଟେଡର ଇନଷ୍ଟାଣ୍ଟ ନୁଡୁଲ୍‌ସ ପ୍ରଡକ୍ସନ ଫେସିଲିଟିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ୧୫ଟି ପ୍ରକଳ୍ପ ପାଇଁ ୧୧ ହଜାର ୬ ଶହ ୯୦ କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି।

ଏହାସହ ଶିଳ୍ପଗୁଡ଼ିକ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ‘ଗୋ ସୁଇଫ୍ଟ’ ଲଞ୍ଚ ହୋଇଛି। ଏହାଦ୍ୱାରା ଶିଳ୍ପସଂସ୍ଥାମାନେ ସେମାନଙ୍କର ପ୍ରକଳ୍ପଗୁଡ଼ିକର ପୁଞ୍ଜିନିବେଶଜନିତ ସମସ୍ତ ତଥ୍ୟ ଅନଲାଇନ୍ ଜରିଆରେ ପାଇପାରିବେ। ଏହି ପୋର୍ଟାଲର ଉପଯୁକ୍ତ ବିନିଯୋଗ କରି ଶିଳ୍ପସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ଦିନରେ ୯ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହା ପୂର୍ବରୁ ସାର, ସିମେଣ୍ଟ, ଫୁଡ଼୍‌ପ୍ରୋସେସିଂ, ସୌରଶକ୍ତି, ଜୈବ ପ୍ରଯୁକ୍ତି, ସିଫୁଡ୍, ଓ ବିଦ୍ୟୁତ୍ କ୍ଷେତ୍ରରେ ପୁଞ୍ଜିନିବେଶ କରାଯାଇଥିଲା।

ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିଜନ-୨୦୨୫କୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କର ଉଦ୍ୟମ ଜାରି ରଖିଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏଥିପାଇଁ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ୨୦୧୬ରେ ଅନୁଷ୍ଠିତ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌’ରେ ରାଜ୍ୟକୁ ଅନେକ ସଫଳତା ମିଳିଛି। ୧୦୦ରୁ ଅଧିକ କମ୍ପାନି ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଆଜି ଓଡ଼ିଶା ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛି।“

ଏହି ଅବସରରେ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତାରିଖ ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ। ଏଥିରେ ଦେଶ ଏବଂ ବିଦେଶର ଅନେକ ପୁଞ୍ଜିନିବେଶକାରୀ ଅଂଶଗ୍ରହଣ କରିବେ।

ଶିଳାନ୍ୟାସ ଉି୍ସବରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

Comment