ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁଚାପର ଲଗାଣ ବର୍ଷା ଚାଷୀ ମୁହଁରୁ ଛଡ଼ାଇ ନେଇଛି ହସ। ଭାଙ୍ଗିଦେଇଛି ଅଣ୍ଟା। ଆଖି ଆଗରେ ଧୋଇ ହୋଇଯାଇଛି ବର୍ଷଯାକର ପରିଶ୍ରମ। ଆଗକୁ କଣ ଖାଇବେ ଏବଂ କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

୩ ଦିନ ଧରି ନିର୍ଧୁମ୍ ଛେଚିଛି ବର୍ଷା। ଲଗାଣ ବର୍ଷାରେ ବେହାଲ୍‌ ହୋଇଯାଇଛି ଓଡ଼ିଶା। ଦକ୍ଷିଣରୁ ଉପକୂଳ ସବୁଠି ଜମି ରହିଛି ବର୍ଷାପାଣି। ଏକର ଏକର ଚାଷଜମିରେ ମାଡ଼ି ଯାଇଛି ବର୍ଷାପାଣି। ଆଉ ଅମଳ ହୋଇ ଘରକୁ ଆସିବାକୁ ଅପେକ୍ଷା କରିଥିବା ପାଚିଲା ଧାନ ଏବେ ବର୍ଷାପାଣିରେ ବୁଡ଼ି ରହିଛି। ଜମିରୁ କେମିତି ପାଣି ନିଷ୍କାସନ କରିବେ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାର ସନ୍ଧ୍ୟାରୁ ଲାଗି ରହିଛି ବର୍ଷା। ଆକାଶ କଳା ବାଦଲରେ ଢାଙ୍କି ହୋଇ ରହିଛି। ଅଦିନିଆ ବର୍ଷା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଉପକୂଳ ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଆଦି ଜିଲ୍ଲାର ଧାନ କିଆରି ଜଳାଶୟର ଭ୍ରମ ସୃଷ୍ଟି କରିଛି।

ମୟୂରଭଞ୍ଜ ଜିଲ୍ଲାରେ ବି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପାଚିଲା ଧାନ ବର୍ଷାପାଣିରେ ଭାସୁଥିବା ବେଳେ ଅମଳ ହୋଇ ଖଳାକୁ ଆସିଥିବା ଧାନ ମଧ୍ୟ ଗଜା ହୋଇଗଲାଣି। ଜିଲ୍ଲାର ୨୬ଟି ବ୍ଲକର ଚାଷୀ କେମିତି ବର୍ଷସାରା ଚଳିବେ ତାକୁ ନେଇ ଚିନ୍ତିତ ହୋଇଯାଇଛନ୍ତି। ଏପଟେ କଟକ, ଜଗତସିଂହପୁର, ନୟାଗଡ଼ ଜିଲ୍ଲାରେ ବି ସମାନ ଅବସ୍ଥା।

ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଜିଲ୍ଲାରେ ଏକର ଏକର ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ପାଚିଲା ଧାନ ଦୁଇ ଦିନ ହେଲା ପାଣିରେ ସଢ଼ୁଛି। ବର୍ଷା ଛାଡ଼ିଲେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସରକାର କହିଥିଲେ ମଧ୍ୟ  ଚାଷୀ ଧୈର୍ଯ୍ୟହରା ହୋଇଗଲେଣି।

Comment