ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ। ଉଜୁଡ଼ା କ୍ଷେତକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ବିରୋଧୀ ବିଜେପି ଏହାକୁ ରାଜନୀତିକ ଅସ୍ତ୍ର କରିଛି। ‘ଉଜୁଡ଼ା କ୍ଷେତ’କୁ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ କରିଛି ନୀଳ ନକ୍ସା।

ଚାଷୀ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ବାଣ ପରେ ବାଣ ମାରି ଚାଲିଛି। ରାଜଧାନୀ ଭୁବନେଶ୍ବରରେ ସରକାରଙ୍କ ନୀତିକୁ ସମାଲୋଚନା କରିବା ପରେ ଆନ୍ଦୋଳନକୁ ଗାଁକୁ ନେବା ଲାଗି ବିଜେପି ସ୍ଥିର କରିଛି। ଚାଷୀଙ୍କ ହକ୍‌ ପାଇଁ ବିଜେପି ରାଜ୍ୟର ସବୁ ଆରଆଇ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ସ୍ପଷ୍ଟ କରିଛି।

ନଭେମ୍ବର ୨୨ ତାରିଖରୁ ବିଜେପି ନେତାମାନେ ଗାଁ ଗାଁ ବୁଲି ଉଜୁଡ଼ା କ୍ଷେତ ପରିଦର୍ଶନ କରିବେ। ୩୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରି ଡିସେମ୍ବର ମାସରୁ ଆନ୍ଦୋଳନକୁ ଓହ୍ଲାଇବେ। ମାସ ତମାମ୍‌ ଆନ୍ଦୋଳନ ଓ ବିକ୍ଷୋଭ ଚାଲିବ। ତୃଣମୂଳ ସ୍ତରରେ ଚାଷୀଙ୍କ ପାଇଁ ଲଢ଼େଇ କରିବ ବିଜେପି। ଦୁଇଦିନ ଧରି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ବିଜେପି ସଭାପତିଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

ଏହାସହ ସରକାରଙ୍କ କ୍ଷୟକ୍ଷତି ଆକଳନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ସରକାର ପ୍ରସ୍ତୁତ କରୁଥିବା ରିପୋର୍ଟରେ ପ୍ରକୃତ ଚାଷୀ ଉପକୃତ ହେଉ ନାହାନ୍ତି। ଏଣୁ ଯେଉଁ ସରକାରୀ କର୍ମଚାରୀମାନେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ସେମାନେ ସର୍ବସାଧାରଣଙ୍କ ଉପସ୍ଥିତିରେ ରିପୋର୍ଟ ଉପସ୍ଥାପନ କରିବାକୁ ବିଜେପି ଦାବି କରିଛି।

ବିଜେପି ନେତା ସମୀର ମହାନ୍ତି କହିଛନ୍ତି, “ରାଜ୍ୟର ଚାଷୀମାନେ ଦୁର୍ଦ୍ଦିନରେ ରହିଛନ୍ତି। ସେମାନଙ୍କୁ ସହାନୁଭୂତି ଓ ସହାୟତା ଦେବା ପରେ ରାଜ୍ୟ ସରକାର ତାତ୍ସଲ୍ୟ କରୁଛନ୍ତି। ଚାଷୀର ଭାବାବେଗ ସହ ଖେଳୁଥିବା ସରକାରଙ୍କ ବିରୋଧରେ ବିଜେପି ତୃଣମୂଳ ସ୍ତରରେ ଲଢ଼େଇ କରିବ।”

LEAVE A REPLY

Please enter your comment!
Please enter your name here