ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ଲାଖି ରହିଛି। କୁହାଯାଉଛି ଏହି ନିର୍ବାଚନର ଫଳାଫଳରୁ ଦେଶର ରାଜନୀତିର ଭବିଷ୍ୟତ ଦିଶା ନିର୍ଦ୍ଧାରଣ ହେବ।

ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ଲାଖି ରହିଛି। କୁହାଯାଉଛି ଏହି ନିର୍ବାଚନର ଫଳାଫଳରୁ ଦେଶର ରାଜନୀତିର ଭବିଷ୍ୟତ ଦିଶା ନିର୍ଦ୍ଧାରଣ ହେବ। ୨୦୧୫ ମସିହାରେ ଅନୁଷ୍ଠିତ ବିହାର ନିର୍ବାଚନକୁ ମଧ୍ୟ ଗୁଜୁରାଟ ଭଳି ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ଗୁଜୁରାଟ ପରିପ୍ରେକ୍ଷୀରେ ଗୋଟିଏ ପଟେ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାରରେ ଅଛି। ତା’ଛଡ଼ା ଦଳ ପାଖରେ ଅର୍ଥର କମି ନାହିଁ। ଦଳ ପାଖରେ ଅନ୍ୟାନ୍ୟ ଆନୁଷଙ୍ଗିକ ସମ୍ବଳ ମଧ୍ୟ ରହିଛି। ବିକାଶର ସ୍ଲୋଗାନ ଦେଇ ବିଜେପି ନିର୍ବାଚନ ମଇଦାନକୁ ଆସିଛି। ତେଣେ କଂଗ୍ରେସ ପକ୍ଷରୁ ଯେଉଁମାନେ ମୋଦିଙ୍କ ବିକାଶ ପ୍ରକ୍ରିୟାରେ ବାଦ ପଡ଼ିଯାଇଛନ୍ତି ସେମାନଙ୍କୁ ଟାର୍ଗେଟ କରାଯାଉଛି ଓ ଏମାନଙ୍କୁ ନେଇ କଂଗ୍ରେସ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛି। ମୋଦିଙ୍କ ବିକାଶ ଯୋଜନାର ବିକଳ୍ପ ଭାବେ କଂଗ୍ରେସ ତା’ ନିଜ ବାଟରେ ଗୁଜୁରାଟର ଅବଶିଷ୍ଟ ଭୋଟରଙ୍କୁ ହାତେଇବାକୁ ଚାହୁଁଛି।

ଗୁଜୁରାଟ ନିର୍ବାଚନକୁ ନେଇ ଏ ପର୍ଯ୍ୟନ୍ତ ଯେତେ ସବୁ ସର୍ଭେ ପ୍ରକାଶ ପାଇଛି ସେଥିରେ ବିଜେପିକୁ ଏକତରଫା ବିଜୟର ଫାଇଦା ଦିଆଯାଇଛି। ଆଉ କିଛି ସର୍ଭେରେ  ଉଭୟ ଦଳ ମଧ୍ୟରେ ଜୋରସୋର ଲଢ଼େଇ ହେବ ବୋଲି କୁହାଯାଇଛି। ତଥାକଥିତ ଗୁଜୁରାଟ ମଡେଲ ଆଉ କାମ କରିବ ନାହିଁ ବୋଲି କିଛି ଲୋକ ମତ ଦେଇଛନ୍ତି।

ବିଗତ ଦୁଇ ତିନି ବର୍ଷ ମଧ୍ୟରେ ଗୁଜୁରାଟରେ ବିଜେପି ବିରୁଦ୍ଧରେ ଢେରଗୁଡିଏ ଦଳ ଓ ଗୋଷ୍ଠୀ ଏକାଠି ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ପଟିଦାର, ଦଳିତ, ପଛୁଆବର୍ଗ, ଚାଷୀ ଓ ବିଶେଷକରି ବ୍ୟବସାୟୀ। ଏ ସମସ୍ତେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଓ ନିଜର ଅସନ୍ତୋଷ ଜାହିର କରିସାରିଛନ୍ତି।

ଆଉ ଦୁଇ ସପ୍ତାହ ପରେ ହେବାକୁ ଥିବା ଗୁଜୁରାଟ ନିର୍ବାଚନରେ  ବିଜେପିର ତଥାକଥିତ ବିକାଶ ମଡେଲ କେବଳ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଷ୍ଠା ଉପରେ  ବି ବାଜି ଲାଗିଛି। କେନ୍ଦ୍ର ସରକାରଙ୍କ ଜିଏସଟି ଓ ନୋଟବନ୍ଦୀ ନିଷ୍ପତ୍ତି ମଧ୍ୟ ଏହି ଗୁଜୁରାଟ ବିଧାନସଭା ନିର୍ବାଚନରେ ପରୀକ୍ଷାର ସମ୍ମୁଖିନ ହେବାକୁ ଯାଉଛନ୍ତି। ଗୁଜୁରାଟରେ ବିକାଶ ଯଦିଓ ଏକ ପ୍ରସଙ୍ଗ, ତଥାପି ବିଜେପି  ପଛରେ ପ୍ରତି ବର୍ଗର ଭୋଟ ଅଛି। ଖାସ୍ ଏଥିପାଇଁ ଦଳ ବିରୋଧୀ କଂଗ୍ରେସର ଗୋଳବନ୍ଦୀକୁ ମୁକାବିଲା କରିବାକୁ ଚେଷ୍ଟା କରୁଚି।

ଏପଟେ କଂଗ୍ରେସ ପୁରୁଣା ଭୁଲକୁ ସୁଧାରି ନିର୍ବାଚନ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିଛି। କଂଗ୍ରେସର ରଣନୀତି ଏଥର ପୂରା ଅଲଗା। ମୋଦି ଯେଉଁସବୁ କଥା କହୁଛନ୍ତି ସେଗୁଡିକୁ ହିଁ ହତିଆରକରି ଦଳ ବିଜେପିକୁ ଟାର୍ଗେଟ କରୁଛି। ସୋସିଆଲ ମିଡିଆରେ ଆକ୍ରାମକ ହେବା ବ୍ୟତୀତ ବିଜେପିର ଠିକ୍ ବିପରୀତ ‘ନରମ’ ହିନ୍ଦୁତ୍ୱର ରାସ୍ତା ଧରିବା ପାଇଁ କଂଗ୍ରେସ ସ୍ଥିର କରିଛି।

ରାହୁଲ ଗାନ୍ଧୀ ଗୁଜୁରାଟର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ପୂଜା ଅର୍ଚ୍ଚନା ସହିତ। ରାହୁଲ ଯଦିଓ ଏ ପର୍ଯ୍ୟନ୍ତ ୨୦୦୨ ଗୁଜୁରାଟ ଦଙ୍ଗାକୁ ଆୟୁଧ କରିନାହାନ୍ତି, ତଥାପି ଦଳ ଆଶା କରୁଛି ଯେ ଦଳିତ,ମୁସଲମାନ, ଓବିସି ଏବଂ ପଟିଦାରମାନଙ୍କ ବିପୁଳ ସମର୍ଥନ ମିଳିବ। ପଟିଦାର,ଦଳିତ ଓ ଓବିସି ନେତାମାନେ କଂଗ୍ରେସକୁ ସମର୍ଥନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅସନ୍ତୁଷ୍ଟ ନେତାଙ୍କୁ କଂଗ୍ରେସ ନିଜ ହାତରେ ରଖିବାରେ ସଫଳ ହୋଇଛି। ଏହିଭଳି ସ୍ଥିତିରେ ଦେଖିବାକୁ ପଡ଼ିବ ରାହୁଲ ଗାନ୍ଧୀଙ୍କ ଯାବତୀୟ  ସବୁ ଉଦ୍ୟମ କେତେଦୂର ଭୋଟରେ ପରିଣତ ହୋଇପାରୁଛି।

Comment