ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରାହ୍ମଣୀ ସେତୁକୁ ନେଇ ଗରମ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର-ରାଜ୍ୟ। ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏପଟେ ଗଡକରୀଙ୍କ ଚିଠିର ମଧ୍ୟ ନବୀନ ଦେଇଛନ୍ତି କଡ଼ା ଜବାବ।

ବ୍ରାହ୍ମଣୀ ସେତୁକୁ ନେଇ ଜୋର୍ ଧରିଛି ରାଜନୀତି। ସେତୁ ନିର୍ମାଣରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ବିଜେଡି ଦୋଷ ଲଦିଥିବା ବେଳେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କେନ୍ଦ୍ର। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଚିଠି ଲେଖି ରାଜ୍ୟକୁ ଦାୟୀ କରିବାର ମାତ୍ର ୬ ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ଏହି ଚିଠିର ଦେଇଛନ୍ତି କଡ଼ା ଜବାବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେତୁ ନିର୍ମାଣ ପାଇଁ ଆବଶ୍ୟକ ନାହିଁ ଜଙ୍ଗଲ ବିଭାଗର ଅନୁମତି। ବନ ବିଭାଗ ଅଧିକାର ଏନେଇ ପୂର୍ବରୁ ସ୍ପଷ୍ଟ କରିଛନ୍ତି। ପ୍ରସ୍ତାବିତ ସେତୁ ଅଞ୍ଚଳ ହେଉଛି ଅଣଜଙ୍ଗଲ କିସମର। ଅଣଜଙ୍ଗଲ ଜମିରେ ପ୍ରକଳ୍ପ ରହିଥିବା ଏନ୍ଏଚଆଇ କହିଛି। ଏଣୁ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ।”

ଗଡକରୀ ଚିଠିରେ ଲେଖିଥିଲେ ଯେ, ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ବିଭାଗର ଅନୁମତି ମିଳୁ ନଥିବାରୁ ସେତୁ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ। ଅନୁମତି ମିଳିଲେ ୭ ଦିନ ଭିତରେ କାମ ଆରମ୍ଭ ହେବ।

ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ହେଉଥିବାରୁ ବିଜେଡି ରାଉରକେଲାରେ କରିଥିଲା ପ୍ରତିବାଦ। ବିଜେଡି ନେତା ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଯଦି ଏହି ସେତୁ ନିର୍ମାଣ ନକରିବ ତାହାଲେ ରାଜ୍ୟ ସରକାର ତାଙ୍କ ନିଜସ୍ବ ପାଣ୍ଠିରୁ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଗଡକାରୀଙ୍କ ନିକଟକୁ ଚିଠି ଲେଖିଥିଲେ। ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପୁଣିଥରେ ଦୃଷ୍ଟି ଆକର୍ଷଣ କରିଥିଲେ।

Comment