ଓଡ଼ିଶାଲାଇଭ୍‍ ବ୍ୟୁରୋ

ସିବିଆଇର ସ୍ୱତନ୍ତ୍ର କୋର୍ଟ 2ଜି ମାମଲାରେ ଡିଏମକେର ଦୁଇ ନେତା ଏ ରାଜା ଓ କାନିମୋଝି ଓ ଅନ୍ୟମାନଙ୍କୁ ନିର୍ଦ୍ଦୋଷ କହି ଛାଡ଼ିଦେବା ପରେ ବିଜେପିର ଅବସ୍ଥା ଠିକ୍ ସାପ-ଚୁଚୁନ୍ଦ୍ରା ଖେଳ ଭଳି ହୋଇପଡ଼ିଛି। ଯଦି ଏହି ଦୁଇ ନେତାଙ୍କ ବିରୁଦ୍ଧରେ ବିଜେପି ଆକ୍ରମଣାତ୍ମକ ପଦକ୍ଷେପ ନେଉଛି ୨୦୧୯ ନିର୍ବାଚନରେ ତାମିଲନାଡୁରେ ଡିଏମକେ ଭଳି ଗୋଟିଏ ସହଯୋଗୀଙ୍କୁ ହରାଇ ବସିବ। ଯଦି ସେମାନଙ୍କ ପ୍ରତି ନରମ ଭାଵ ପ୍ରଦର୍ଶନ କରୁଛି ଦୁର୍ନୀତି ଭଳି ଏକ ବଡ଼ ପ୍ରସଙ୍ଗ ହାତଛଡ଼ା ହେବ। ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହି ହିଁ ମୋଦି ୨୦୧୪ରେ କ୍ଷମତାକୁ ଆସିଲେ।

ବିଗତ କିଛି ଦିନ ଧରି ବିଜେପି ଡିଏମକେ ଦଳର ପାଖାପାଖି ହେବା ପାଇଁ ଉଦ୍ୟମ ଜାରି ରଖିଛି। ୨୦୧୯ ସଧାରଣ ନିର୍ବାଚନରେ ତାମିଲ ନ।ଡୁରେ ଜଣେ ସହଯୋଗୀ ଖୋଜିବା ଉଦ୍ଦେଶ୍ୟ ନେଇ ଏହି ଉଦ୍ୟମ ଆରମ୍ଭ ହୋଇଛି। ଜୟ ଲଲିତାଙ୍କ ମୃତ୍ୟୁ ପରେ ଉଭୟ ଏଡିଏମକେ ଗୋଷ୍ଠୀ ସହିତ ବିଜେପିର ସମ୍ପର୍କ ଭଲ ହୋଇଆସିଥିଲା। ଆଶା କରାଯାଉଥିଲା ଏମାନଙ୍କ ସହ ବିଜେପିର ମେଣ୍ଟ ହେବ। କିନ୍ତୁ କିଛି ସମୟ ଧରି ଏଡିଏମକେ ସହିତ ସମ୍ପର୍କ ଥଣ୍ଡା ପଡ଼ିବା କାରଣରୁ ବିଜେପି ଡିଏମକେର ଦୁଆର ଖଟ ଖଟ କରିଥିଲା।

ନଭେମ୍ବର ମାସରେ ମୋଦି କରୁଣା ନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଚେନ୍ନାଇ ଯାଇଥିଲେ ସତ ହେଲେ ଉଦ୍ଦେଶ୍ୟଟି କିନ୍ତୁ ସ୍ପଷ୍ଟ ଥିଲା। ମେଣ୍ଟ। ଏହି ପରିସ୍ଥିତିରେ ଆଗାମୀ ଦିନରେ ବିଜେପି ନବୀନ ପଟ୍ଟନାୟକଙ୍କ ନୀତି ଆପଣେଇବ ଏହା ଜଳଜଳ ଦେଖାଯାଉଛି। କ’ଣ ଏହି ନୀତି? ‘ଆଇନ ତା’ ବାଟରେ ଯିବ।’ ସିବିଆଇ କୋର୍ଟର ରାୟ ଆସିବା ପରେ ଏହା ବିରୁଦ୍ଧରେ ସ୍ଵାଭାବିକ ଭାବରେ ବର୍ତ୍ତମାନ ସରକାର ହାଇକୋର୍ଟକୁ ଯିବା କଥା।

ରବର୍ଟ ଭଦ୍ରା କେସରେ ମୋଦି ସରକାର ଏହି ପଦକ୍ଷେପ ହିଁ ନେଇଛନ୍ତି। ମଜା କଥା ହେଉଛି ରବର୍ଟ ଭଦ୍ରା କେସ୍ ମଧ୍ୟ ଆଗକୁ ବଢ଼ିବାରେ ବିଫଳ ହୋଇଛି। ଲୋକସଭା ନିର୍ବାଚନରେ ଏହି ଭଦ୍ରା ଦୁର୍ନୀତି ବିରୋଧରେ ବିଜେପି ଢେର ଗଳା ଫଟାଇ ଚିତ୍କାର କରୁଥିଲା। ବିଜେପି ଓ ମୋଦି ସରକାର ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ ହେଲା ଯେ ଯଦି 2ଜି ମାମଲାରେ ନରମ ଭାବ ପ୍ରଦର୍ଶନ କରାଯାଉଛି ତେବେ ଭୋଟର ମାନଙ୍କ ପାଖକୁ ଏହା ଭୁଲ ମେସେଜ୍ ଯିବ।

୨୦୧୪ ନିର୍ବାଚନରେ ବିଜେପି ପକ୍ଷରୁ 2ଜିକୁ ସବୁଠାରୁ ବଡ଼ ମୁଦ୍ଦା ବା ପ୍ରସଙ୍ଗ କରାଯାଇଥିଲା ଓ ଲୋକେ ମଧ୍ୟ ଏଥିପାଇଁ ବିଜେପିକୁ ଭୋଟ ଦେଇ ଦିଲ୍ଲୀ ପଠାଇଥିଲେ। ଗତ କାଲିଠାରୁ ଏ ନେଇ ବିଜେପିର ତୁଙ୍ଗ ନେତାମାନେ ଭାବିବା ଆରମ୍ଭ କରିଛନ୍ତି। ସେମାନେ ଦେଖିଛନ୍ତି ଯେ 2ଜି ରାୟ ପ୍ରକାଶ ପାଇବା ପରେ କଂଗ୍ରେସ ପାଇଁ ଏହା ଅନୁକୁଳ ହୋଇଛି ଓ ପୁଣି ଥରେ କ୍ଷମତାକୁ ଫେରିବା ସକାଶେ ଏହା ବାଟ ଖୋଲିଦେଇଛି। କିନ୍ତୁ ଦଳର ନେତାମାନେ ଏ କଥା ବି କହୁଛନ୍ତି ଯେ 2ଜି ରାୟ ଯୋଗୁଁ ମୋଦି ସରକାର ପାଇଁ ବିଶେଷ ଅସୁବିଧା ସୃଷ୍ଟି ହେବ ନାହିଁ କାରଣ ସୁପ୍ରିମକୋର୍ଟ ଏହି ରାୟକୁ ରଦ୍ଧ କରିଦେବାର ବହୁ ସମ୍ଭାବନା ରହିଛି। ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଉ ଦିନ କେଇଟା ଭିତରେ ସବୁ ଠିକ୍ ହୋଇଯିବ। କିନ୍ତୁ କୋର୍ଟର କାଳକ୍ଷେପଣ ନୀତି ଯାହା ଏହି ଦିନଟା ମାସ ବି ହୋଇଯାଇପାରେ।

Comment