ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମିଳିଛି ସମ୍ମାନଜନକ କୌଟିଲ୍ୟ ଆୱାର୍ଡ। ଇଣ୍ଡିଆନ୍ ଇକୋନମିକ୍ ଆସୋସିଏସନ୍ (ଆଇଇଏ) ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆଇଇଏର ୧୦୦ତମ ବାର୍ଷିକ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଡକ୍ଟର ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କର ଜଣେ ପ୍ରତିନିଧି ଏହି ଆୱାର୍ଡ ଗ୍ରହଣ କରିଛନ୍ତି।
ଏହି ସମ୍ମାନ ପାଇବା ପରେ ଡକ୍ଟର ସାମନ୍ତ କହିଛନ୍ତି ଯେ, “ବାର୍ଷିକ ସମ୍ମିଳନୀ ଅବସରରେ ଇଣ୍ଡିଆନ୍ ଇକୋନମିକ୍ ଆସୋସିଏସନ୍ ମୋତେ ସମ୍ମାନଜନକ କୌଟିଲ୍ୟ ଆୱାର୍ଡ ପ୍ରଦାନ କରିଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି।
ଆଇଇଏର ବାର୍ଷିକ ସମ୍ମିଳନୀକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଥିଲେ। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଏସ୍ ଏଲ୍ ନରସିଂହା, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଡକ୍ଟର ସି ରଙ୍ଗରାଜନ୍, ଇଣ୍ଡିଆନ୍ ଇକୋନମିକ୍ ଆସୋସିଏସନ୍ ସଭାପତି ପ୍ରଫେସର ସୁଖଦେଓ ଥୋରାଟ ଏବଂ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।


















