ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଜିଲ୍ଲାରେ ଥିବା ଏସିଆ ମହାଦେଶର ବୃହତ୍ତମ ମାଟିବନ୍ଧ ହୀରାକୁଦ ବନ୍ଧ ଜଗିବେ ୨୦୦ ଯବାନ। ଏଥପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟରେ ଏହି ବହୁମୂଖୀ ନଦୀବନ୍ଧ ଥିବା ଗୁଇନ୍ଦା ବିଭାଗ ଓଡ଼ିଶା ସରକାରଙ୍କୁ ସୂଚନା ଦେଇଆସୁଛି। ଗୁଇନ୍ଦା ସୂଚନାକୁ ଆଧାର କରି ରାଜ୍ୟ ସରକାର ଏହି ବନ୍ଧର ସୁରକ୍ଷା ଦାୟିତ୍ୱ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ(ଓଆଇଏସ୍‌ଏଫ୍‌) ହାତରେ ଟେକିଦେଇଛନ୍ତି।

ଓଆଇଏସ୍‌ଏଫ୍ର ୨୦୦ଯବାନ ୨୪ଘଣ୍ଟା ଏହି ବନ୍ଦକୁ ଜଗି ରହିବେ। ଯବାନଙ୍କ ରହିବା ପାଇଁ ବନ୍ଧତଳେ ନିର୍ମାଣ ହେଉଛି ବ୍ୟାରେକ୍। ଏହା ସହ ଅତ୍ୟାଧୁନିକ ପଦ୍ଧତିରେ ବନ୍ଧର ସୁରକ୍ଷା ପ୍ରତି ତୀକ୍ଷ୍ଣ ନଜର ମଧ୍ୟ ରଖାଯିବ। ବନ୍ଧର ବିଭିନ୍ନ ସ୍ଥାନରେ ଖଞ୍ଜାଯିବ ୪୪ଟି ସିସିଟିଭି କ୍ୟାମେରା। ବାମ, ଡାହାଣ ସ୍ପିଲ୍ୱେ ଓ ବନ୍ଧର ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଏହି କ୍ୟାମେରା ଲାଗିବ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବନ୍ଧକୁ ସଂଯୋଗ କରୁଥବା ସମସ୍ତ ସ୍ଥାନରେ ଲାଗିବ ଅତ୍ୟାଧୁନିକ ଫାଟକ।

ସିସିଟିଭି କ୍ୟାମେରା ଓ ଅତ୍ୟାଧୁନିକ ଗେଟ୍ ନିରୀକ୍ଷଣ ପାଇଁ କଣ୍ଟ୍ରୋଲ୍‌ରୁମ୍ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ବୋଲି ବନ୍ଧ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ରାଉତ କହିଛନ୍ତି। ଏବେ ୩୧ଜଣ ନିରସ୍ତ୍ର ସୁରକ୍ଷା କର୍ମଚାରୀ ବନ୍ଧର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି।

Comment