ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଧାନ କିଣାବିକା ଚାଲିଛି କେବଳ କାଗଜ କଲମରେ। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡ଼ିକ ବିଳମ୍ବରେ ଖୋଲାଯାଇଛି। ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ  ଧାନ ଚାଷୀମାନେ ବାଧ୍ୟ ହୋଇ ବେପାରିକୁ କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା କମରେ ଧାନ ବିକ୍ରି କରୁଛନ୍ତି। ମଣ୍ଡି ଗୁଡ଼ିକ ଅସାଧୁ ମିଲରମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଚାଷୀମାନଙ୍କ ଠାରୁ ଧାନ ମିଲରମାନେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟଠୁ ବି କମ୍ ମୂଲ୍ୟରେ ଧାନ ସଂଗ୍ରହ କରୁଥିବା ବିଜେପି ଅଭିଯୋଗ କରିଛି।

ମଣ୍ଡିଗୁଡ଼ିକରେ ମିଲରମାନଙ୍କର ଅରାଜକତା ବଢ଼ି ଚାଲିଛି। ଏହାର ପ୍ରତିବାଦରେ ଜାନୁଆରୀ ୧୦ ତାରିଖରୁ ବିଜେପି କୃଷକ ମୋର୍ଚ୍ଚା ‘ମଣ୍ଡିଚାଲ’ ଅଭିଯାନ ଡାକରା ଦେଇଛି।

ବିଜେପି କୃଷକମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି, “ବିଜେପି କୃଷକ ମୋର୍ଚ୍ଚା ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଶାସକ ବିଜେଡିର ପ୍ରରୋଚନାରେ ମଣ୍ଡି ଗୁଡ଼ିକରେ କମ ମୂଲ୍ୟରେ ଧାନ ସଂଗ୍ରହ କରାଯାଉଛି। ଶାସକ ବିଜେଡି ଏବଂ ଧାନ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଚାଷୀମାନେ ଏଠି ଶୋଷଣର ଶିକାର ହେଉଛନ୍ତି।”

Comment