ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁଆଇଡିଏଆଇ ଆଣିଲା ୧୬ ଅଙ୍କ ବିଶିଷ୍ଟ ଆଇଡି
  • ନୂଆ ଆଇଡି ମିଳିବା ପରେ ପୁରୁଣା ଆଇଡି ଆପଣା ଛାଏଁ ବାତିଲ୍
  • ଜୁନ୍ ୧ ତାରିଖ ସୁଦ୍ଧା ଉପଭୋକ୍ତାମାନଙ୍କଠାରୁ ଭର୍ଚୁଆଲ୍ ଆଇଡି ଗ୍ରହଣ

ଆଧାର ଗୋପନୀୟତା ପଦାରେ ପଡିବା ପରେ କେନ୍ଦ୍ର ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଛି। ବାଧ୍ୟ ହୋଇ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୧୬ ଅଙ୍କ ବିଶିଷ୍ଟ ଆଇଡି ଆଣିଛନ୍ତି। ଗୋପନୀୟତାକୁ ସୁନିଶ୍ଚିତ କରିବା ପାଇଁ ୟୁଆଇଡିଏଆଇ ନୂଆ ଦ୍ଵିସ୍ତରୀୟ ନିରାପତ୍ତା ବ୍ୟବସ୍ଥା (ଭର୍ଚୁଆଲ ଆଇଡି) ପ୍ରଚଳନ କରିଛି।

ଏହି ଭର୍ଚୁଆଲ୍ ଆଇଡିକୁଆଧାର କାର୍ଡଧାରୀମାନେ ଏହାର  ୱେବସାଇଟରୁ ପାଇପାରିବେ। ବିଭିନ୍ନ କାର୍ଯ୍ୟରେ ୧୬ ଅଙ୍କ ବିଶିଷ୍ଟ ଆଇଡି ବ୍ୟବହାର କରାଯାଇପାରିବ। କିନ୍ତୁ ଏହି ଭର୍ଚୁଆଲ୍ ଆଇଡିର ବୈଧତା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ରହିବ। ବୈଧତା ସମୟ ଶେଷ ହେବା ପରେ ନୂଆ ଆଇଡି ହାସଲ କରିବାକୁ ହେବ।

ଭର୍ଚୁଆଲ୍ ଆଇଡିରେ ରହିବ ବିକଳ୍ପ ବ୍ୟବସ୍ଥା। ଯାଞ୍ଚ ସମୟରେ ଉପଭୋକ୍ତାମାନଙ୍କୁ ସେମାନଙ୍କ ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ୍ ଆଇଡିକୁ ପ୍ରଦାନ କରିବାର ଆବଶ୍ୟକତା ପଡିବ ନାହିଁ। ଫଳରେ ଆଧାରର ଗୋପନୀୟତା ଅଧିକ ସୁରକ୍ଷିତ ରହିବ ବୋଲି ୟୁଆଇଡିଏଆଇ କର୍ତ୍ତୃପକ୍ଷ କହିଛନ୍ତି।

୧୬ ଅଙ୍କ ବିଶିଷ୍ଟ ନମ୍ବର ଆଧାର ନମ୍ବର ସ୍ଥାନରେ ବ୍ୟବହାର ହେବ। ନୂଆ ବ୍ୟବସ୍ଥା ମାଧ୍ୟମରେ ୟୁଆଇଡିଏଆଇ ଆବଶ୍ୟକ ପଡିଲେ ଉପଭୋକ୍ତାଙ୍କ ସୀମିତ ବିବରଣୀ ଯାଞ୍ଚ କରିପାରିବ। ଯାଞ୍ଚବେଳେ ଉପଭୋକ୍ତାଙ୍କ ନାଁ, ଠିକଣା ଓ ଫଟୋ ରହିବ। ଉପଭୋକ୍ତାମାନେ ଯେତେ ଭର୍ଚୁଆଲ୍ ଆଇଡି ଚାହିଁବେ ପାଇପାରିବେ। ନୂଆ ଆଇଡି ମିଳିବା ପରେ ପୁରୁଣା ଆଇଡି ଆପଣା ଛାଏଁ ବାତିଲ୍ ହୋଇଯିବ। ଆଧାର କାର୍ଡ ପ୍ରସ୍ତୁତ ଓ ସଂଶୋଧନ ଦାୟିତ୍ଵରେ ଥିବା ଏଜେନ୍ସିଗୁଡିକ ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଉପଭୋକ୍ତାମାନଙ୍କଠାରୁ ଭର୍ଚୁଆଲ୍ ଆଇଡି ଗ୍ରହଣ କରିବେ। ଏହି ସମୟ ମଧ୍ୟରେ ନୂଆ ବ୍ୟବସ୍ଥା କାର୍ଯ୍ୟକ୍ଷମ ନହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଧାର କାର୍ଡ ଯାଞ୍ଚ କରୁଥିବା ଏଜେନ୍ସି ଗୁଡିକ ଭର୍ଚୁଆଲ୍ ଆଇଡି ହାସଲ କରିପାରିବେ ନାହିଁ।

Comment