ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତେଲେଙ୍ଗାନାରେ ଆରମ୍ଭ ହୋଇଥିଲା ଏହି ବ୍ୟବସ୍ଥା
  • ଆଜୀବନ କଏଦୀ ୧୪ବର୍ଷ ପରେ ଚାଲିଚଳନ ଓ ଆଚରଣରେ ପରିବର୍ତ୍ତନ ଆସିଲେ ପେଟ୍ରୋଲ୍ ପମ୍ପରେ ନିଯୁକ୍ତି ଦିଆଯିବ
  • ପ୍ରାଥମିକ ଭାବେ ଜାମୁଝରୀ ମୁକ୍ତାକାଶ ଜେଲ୍, ବାରିପଦା ସର୍କଲ ଜେଲ୍ ଓ ବ୍ରହ୍ମପୁର ଜେଲରେ ଲାଗୁ ହେବ ଏହି ବ୍ୟବସ୍ଥା

ଏଣିକି ପ୍ରେଟ୍ରୋଲ୍ ପମ୍ପ ଚଳାଇବାର ଦାୟିତ୍ଵ ଦିଆଯିବା କଏଦୀଙ୍କ ହାତରେ। ଏନେଇ ଜେଲ୍ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେଲେଙ୍ଗାନା ସରକାର କଏଦୀମାନଙ୍କୁ ପେଟ୍ରୋଲ ପମ୍ପରେ ନିୟୋଜିତ କରାଯାଉଛି। ଓଡ଼ିଶାରେ ସମାନ ବ୍ୟବସ୍ଥା ଲାଗୁ କରାଯିବାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣେ ଜେଲ୍ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜେଲର ସଂସ୍କାର ପ୍ରକ୍ରିୟାରେ ଆଉ ଏକ ପାଦ ଆଗକୁ ଯାଇ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି।

ଜେଲ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିକଟରେ ତେଲେଙ୍ଗାନା ରାଜ୍ୟକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି। ସେହି ଢାଞ୍ଚାରେ ଜେଲ୍ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେବ ବୋଲି ଜଣାପଡିଛି। ରାଜ୍ୟ ସରକାର ଏନେଇ ତୈଳ କମ୍ପାନୀଗୁଡିକ ସହିତ ଏକ ଚୁକ୍ତି କରିବା ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଜେଲ୍ ସଂସ୍କାର ପ୍ରକ୍ରିୟାରେ ଯେଉଁ ଆଜୀବନ କଏଦୀ ୧୪ବର୍ଷ ପରେ ଚାଲିଚଳନ ଓ ଆଚରଣରେ ପରିବର୍ତ୍ତନ ଆସିବ ସେମାନଙ୍କୁ ମୁକ୍ତାକାଶ ଜେଲରେ ରଖାଯାଇଥାଏ। ସେହି କଏଦୀମାନଙ୍କୁ ଏହି ପେଟ୍ରୋଲ୍ ପମ୍ପରେ ନିଯୁକ୍ତି ଦିଆଯିବ।

ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାର ସ୍ଥାନ ଯୋଗାଇ ଦେବା ପରେ ତୈଳ କମ୍ପାନୀ (ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍)ମାନେ ସେମାନଙ୍କର ତେଲ ଟାଙ୍କି ବସାଇବେ। ଏହି ତେଲ ଟାଙ୍କିରେ ଜେଲ୍ ବିଭାଗର ଦୁଇଜଣ ଅଧିକାରୀ ସୁପରଭାଇଜର ଭାବେ କାର୍ଯ୍ୟ କରିବେ। ଟାଙ୍କିରେ ଯାନବାହନରେ ତେଲ ପକାଇବାଠାରୁ ଆରମ୍ଭ କରି ଟଙ୍କା ରଖିବା ଭଳି କାମ କରିବେ କଏଦୀ। ଏସବୁ ପେଟ୍ରାଲ୍ ପମ୍ପରୁ ଯାହା କିଛି ଲାଭାଂଶ ମିଳିବ ସେଥିରୁ ଜେଲ୍ ବିଭାଗର ସଂସ୍କାରମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ। କଏଦୀଙ୍କୁ ମଧ୍ୟ ସେମାନଙ୍କ ପାରିଶ୍ରମିକ ଭାବେ ଅର୍ଥ ମିଳିବ। ପ୍ରାଥମିକ ଭାବେ ଜାମୁଝରୀ ମୁକ୍ତାକାଶ ଜେଲ୍, ବାରିପଦା ସର୍କଲ ଜେଲ୍ ଓ ବ୍ରହ୍ମପୁର ଜେଲ୍ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ୩ଟି ପେଟ୍ରୋଲ ପମ୍ପ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଥିବା ଜଣାପଡିଛି।

ଗତ ଡିସେମ୍ବର ମାସରେ ଜେଲ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ପ୍ରକଳ୍ପ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା।

Comment