ଓଡ଼ିଶାଲାଇଭ୍‌ ବ୍ୟୁରୋ

‘୨୧ ତାରିଖରେ ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ପାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ନେତାଙ୍କୁ ସମର୍ଥନ କରି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ନୂଆ ଫଟୋ।

ସୋସିଆଲ ମିଡିଆରେ ଓଲିଉଡ ସୁପରଷ୍ଟାର ଓ ସାଂସଦ ଅନୁଭବ ମହାନ୍ତି ଛାଡ଼ିଛନ୍ତି ଏକ ନୂଆ ଫଟୋ। ଏହି ଫଟୋରେ ସେ ‘ଆମ ମୁଖ୍ୟମନ୍ତ୍ରୀ ନଂ-୧’ ପୋଷ୍ଟର ସାମ୍‌ନାରେ ଥମ୍ବସ୍‌ ଅପ୍ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକପ୍ରିୟତା ସମ୍ପର୍କରେ ଦର୍ଶାଇଛନ୍ତି।

“ଯେଉଁ ବ୍ୟକ୍ତି ସର୍ବଦା ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷ ସ୍ତରରେ ପହଞ୍ଚାଇଛନ୍ତି, ସେ ଆଉ କେହି ନୁହନ୍ତି ଭାରତର ନଂ-୧ ମୁଖ୍ୟମନ୍ତ୍ରୀ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ଵର ଜଣେ ଅନୁକରଣୀୟ ନେତା ଭାବେ ଆଜି ସେ ପରିଗଣିତ ହୋଇଛନ୍ତି”, କହିଛନ୍ତି ଅନୁଭବ ମହାନ୍ତି।

“ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ଵାସ କରୁନଥିବା ଆମ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମରେ ବିଶ୍ଵାସ କରନ୍ତି । ସବୁ ବିଭାଗରେ ଓଡ଼ିଶାର ବିକାଶ ପାଇଁ ସେ ଚେଷ୍ଟିତ। ରାଜ୍ୟରେ ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ। ଏଭଳି ଜଣେ ନିର୍ମଳ ଭାବମୂର୍ତ୍ତି, ସଚ୍ଚୋଟ ଓ ନିର୍ବିବାଦୀୟ ନେତାଙ୍କ ଅଧୀନରେ କାର୍ଯ୍ୟ କରି ମୁଁ ଆଜି ଗର୍ବିତ”, କହିଛନ୍ତି ଅନୁଭବ।

‘ଆଉଟଲୁକ୍ ପତ୍ରିକା ପକ୍ଷରୁ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ପୁନେଠାରେ ଆୟୋଜିତ ଉତ୍ସବରେ  ସେ  ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଗ୍ରହଣ କରିବାକୁ ଯାଉଛନ୍ତି। ୨୧ ତାରିଖ ସନ୍ଧ୍ୟାରେ ଅଷ୍ଟମ ଭାରତୀୟ ଛାତ୍ର ସଂସଦ ସମ୍ମିଳନୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ପ୍ରତିଭା ଦେବୀସିଂହ ପାଟିଲଙ୍କଠାରୁ ସମ୍ମାନ ଗ୍ରହଣ କରିବେ ନବୀନ।

ପୁନେସ୍ଥିତ ଏମ୍‌ଆଇଟି ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳ଼ୟ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ଚୟନ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ବିଜେଡି ଶିବିରରେ ଖେଳିଯାଇଛି ଆନନ୍ଦର ଲହରୀ। ବହୁ ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ଅବସରରେ ନିଜ ଦଳର ନେତାଙ୍କୁ ସମର୍ଥନ ଜଣାଇ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି ଥମ୍ବସ୍‌ ଅପ୍‌ ଜଣାଇଛନ୍ତି।

Comment