ଓଡ଼ିଶାଲାଇଭ୍‍ ବ୍ୟୁରୋ

ପୁନାଠାରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗ୍ରହଣ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଧନ୍ୟବାଦ…ଏହି ସମ୍ମାନ ପାଇଁ ଭାରତୀୟ ଛାତ୍ର ସଂସଦ ଏବଂ ଏମ୍‌ଆଇଟି ସ୍କୁଲ୍ ଅଫ୍ ଗଭର୍ଣ୍ଣମେଣ୍ଟକୁ ଧନ୍ୟବାଦ।

ଗତ ୧୭ ବର୍ଷ ଧରି ଆମ ଉପରେ ଅତୁଟ ଭରସା ରଖିଥିବା ଏବଂ କ୍ରମାଗତ ଭାବେ ଆମକୁ ଆଶୀର୍ବାଦ କରିଥିବା ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କୁ ମୁଁ ଏହି ସମ୍ମାନ ସମର୍ପିତ କରୁଛି।

ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କାମ କରୁଥିବା ପ୍ରଥମ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ବହୁତ ଖୁସି। ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବାର ସବୁଠାରୁ ଚମତ୍କାର ମାଧ୍ୟମ, ଯୁବଶକ୍ତି ସହିତ ଯୋଡ଼ି ହେବାର ସୁଯୋଗରେ ମୁଁ ବହୁତ ଖୁସି।

ସମୟର ଗତିପଥ ସହିତ ତାଳ ଦେଇ ସବୁଜିନିଷ ନିଜ ନିଜର ଉଚ୍ଚତର ସ୍ତରକୁ ଗତି କରିଥାନ୍ତି। ଏହା ହେଉଛି ପରିପୂର୍ଣ୍ଣତା ପାଇଁ ମଣିଷର ଅହରହ ଉଦ୍ୟମର ବୈଶିଷ୍ଟ୍ୟ। ଆପଣ ଯେକୌଣସି କ୍ଷେତ୍ରକୁ ଦେଖନ୍ତୁ, ଜୀବବିଜ୍ଞାନ, ଗଣିତ, ଭେଷଜ, ସୂଚନା ପ୍ରଯୁକ୍ତି-ଏସବୁ କ୍ଷେତ୍ରରେ ଆମେ ଅପିରିସୀମ ଅଗ୍ରଗତି କରିଛୁ। ବାସ୍ତବରେ ଗତ ୨୦୦ ବର୍ଷ ମଧ୍ୟରେ ମାନବ ବିବର୍ତ୍ତନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିଛି।

କିଏ ଦିନେ ଭାବିଥିଲା ଯେ ଟୁଇଟର ଓ ଫେସବୁକ୍ ଆମ ଜୀବନ ଓ ସାମାଜିକ ସମ୍ପର୍କ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଯିବ।

କିଏ ଦିନେ ଭାବିଥିଲା ଯେ ବିଗ୍‌ ଡାଟା, ବ୍ଲକ୍‌ ଚେନ୍‌ସ ଏବଂ ନାନୋ ଟେକ୍ନୋଲୋଜି ଆମ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ତେବେ ଆମେ ସମସ୍ତେ ଏକମତ ହେବା ଯେ ପ୍ରଶାସନ ଓ ଜନସେବାରେ ଯେଉଁ ବିବର୍ତ୍ତନ ଆସିବା କଥା, ତାହା ଆଜି ପର୍ଯ୍ୟନ୍ତ ଆସିପାରି ନାହିଁ।

ଉତ୍ତମ ପ୍ରଶାସନ ଓ ନିଃସ୍ୱାର୍ଥପର ଜନସେବା ଗଣତନ୍ତ୍ରର ଦୃଢ଼ ସ୍ତମ୍ଭ।। ଆମ ପାଖରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି, କେମିତି ଆମର ପ୍ରଶାସନ ଓ ଜନସେବାକୁ ସୁଦୃଢ଼ କରିବା ଏବଂ ଏହା ଜରିଆରେ ଗଣତନ୍ତ୍ରକୁ ସୁଦୃଢ଼ କରିବା। ବିଶେଷକରି ଆମ ଯୁବସମାଜ ପାଖରେ ଏହା ହେଉଛି ସବୁଠାରୁ ବଡ଼ ଆହ୍ୱାନ।

ଆପଣମାନେ ଗତ କିଛି ଦିନ ଧରି ମହାନ୍ ବକ୍ତାମାନଙ୍କ ଅଭିଭାଷଣ ଶୁଣି ଆସୁଛନ୍ତି। ତେବେ ମୁଁ ଏଠାରେ କହି ରଖେ ଯେ ମୁଁ ସେପରି ଏକ ବକ୍ତା ନୁହେଁ।

୨୦ ବର୍ଷ ତଳେ ରାଜନୀତିରେ ମୁଁ ଥିଲି ନବାଗତ। ମୁଁ କେବେ ବି ଭାବିନଥିଲି ଯେ ମୁଁ ଦିନେ ଏଠାରେ ସବୁଠାରୁ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଥିବା ଜଣେ ବ୍ୟକ୍ତି ଭାବରେ ଆପଣଙ୍କ ପାଖରେ ଉପସ୍ଥିତ ହେବି।

ଆଜି ମୁଁ ଦୃଢ଼ ବିଶ୍ୱାସର ସହ କହିବାକୁ ଚାହେଁ ଯେ ରାଜନୀତି ଏତେ ଜଟିଳ ନୁହେଁ। ରାଜନୀତି ହେଉଛି, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠାରୁ ବଳିଷ୍ଠ ମାଧ୍ୟମ। ତେଣୁ ଏହା ଯେ ତୁମର ମନୋବୃତ୍ତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି, ତାହେଲେ ରାଜନୀତିରେ କୌଣସି ଜଟିଳତା ନାହିଁ।

ମହାତ୍ମାଗାନ୍ଧୀ ଏହାକୁ ତାଙ୍କ ସ୍ପର୍ଶମଣିରେ ଏହିପରି ଭାବରେ ବର୍ଣ୍ଣନା କରିଛନ୍ତି- ବୋଧହୁଏ ଏହା ହେଉଛି ସବୁ ଯୁଗ ପାଇଁ ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦର୍ଶନ।

ଟାଲିସମ୍ୟାନ୍ (ସ୍ପର୍ଶମଣି)-‘‘ମୁଁ ତୁମମାନଙ୍କୁ ଗୋଟିଏ ସ୍ପର୍ଶମଣି ଦେବି। ଯେତେବେଳେ ସନ୍ଦେହ ଆସିବ କିମ୍ବା ତୁମେ ତୁମ ନିଜର ଓଜନରେ ଭାରାକ୍ରାନ୍ତ ହୋଇଯିବ, ତେବେ ଏହି ପରୀକ୍ଷା ଅବଲମ୍ବନ କର। ତୁମେ ଦେଖିଥିବା ସବୁଠାରୁ ଗରିବ ଓ ସବୁଠାରୁ ଦୁର୍ବଳ ଲୋକର ମୁହଁକୁ ମନେ ପକାଅ ଏବଂ ତୁମେ ନିଜକୁ ପଚାର ଯେ ତୁମେ ଯେଉଁ ପଦକ୍ଷେପ ନେଉଛ, ତାଦ୍ୱାରା ସେହି ଲୋକର କିଛି ଉପକାର ହେବ କି ନାହିଁ। ଏହାଦ୍ୱାରା ତାର କିଛି ଲାଭ ହେବ କି? ଏହାଦ୍ୱାରା ତାର ଜୀବନ ଓ ତାର ଭାଗ୍ୟ ଉପରେ ତାର ନିଜର କିଛି ନିୟନ୍ତ୍ରଣ ଆସିବ କି?

ରାଜନୈତିକ ଜୀବନରେ ଜଣେ ବ୍ୟକ୍ତି ଏହିଭଳି ପରିସ୍ଥିତିକୁ ଦୈନନ୍ଦିନ ଅନୁଭବ କରେ। ଛଅ ମାସ ତଳେ ଆମକୁ ସହରାଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏକ ନିଷ୍ପତ୍ତି ନେବାକୁ ପଡ଼ିଥିଲା।

ଆମ ପାଖରେ ଗୋଟିଏ ବାଟ ଥିଲା ଯେ ସେମାନଙ୍କୁ ଉଚ୍ଛେଦ କରିବାର ପ୍ରଥା ଜାରି ରଖିବା ଏବଂ ସେମାନଙ୍କୁ ଜବରଦଖଲକାରୀ ଭାବେ ପରିଗଣିତ କରିବା ଏବଂ ଲକ୍ଷ ଲକ୍ଷ ପରିବାରକୁ ଭୟ ଓ ଅସହାୟତାର ବାତାବରଣ ମଧ୍ୟରେ ରଖିବା। ଆଉ ଗୋଟିଏ ବାଟ ଥିଲା, ସହରର ଦୈନନ୍ଦିନ ଜୀବନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଗ୍ରହଣ କରିବା ଓ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା।

ଲୋକଙ୍କୁ ପ୍ରାଥମିକତା ଦେଇ ଆମେ ଦ୍ୱିତୀୟ ପଥଟି ଅନୁସରଣ କଲୁ। ଯାହା ଗୋଟିଏ ଅତି ଜଟିଳ ପରିସ୍ଥିତି ବୋଲି ଲାଗୁଥାଏ, ତାହାର ଗୋଟିଏ ସରଳ ସମାଧାନ ଥାଏ।

ଏହି ନିଷ୍ପତ୍ତି ଦେଶରେ ପ୍ରଥମ ଥର ପାଇଁ ନିଆଯାଇଛି ଏବଂ କୁହାଯାଇଛି ଯେ ଏହା ହେଉଛି ଐତିହାସିକ ଓ ପଥ ପ୍ରଦର୍ଶକ।

ଯେତେବେଳେ ତୁମେ ଲୋକଙ୍କୁ ପ୍ରାଥମିକତା ଦିଅ- ତାହା ହେଉଛି ଭଲ ରାଜନୀତି

ଯେତେବେଳେ ତୁମେ ଲୋକଙ୍କୁ ପ୍ରାଥମିକତା ଦିଅ ସେତେବେଳେ, ସରକାର ବିରୋଧୀ ହାୱା ନଥାଏ

ବିଶ୍ୱର ଜଣେ ମହାନ ଦୂରଦ୍ରଷ୍ଟା ମାର୍ଟିଲ ଲୁଥର କିଙ୍ଗ୍ କହିଥିଲେ ଯେ ତୁମେ ଯଦି ଲୋକଙ୍କୁ ଭଲ ନ ପାଇବ, ତେବେ ସେମାନଙ୍କ ନେତୃତ୍ୱ ନେଇପାରିବ ନାହିଁ।

ଏହା ହେଉଛି ମୋ ରାଜନୈତିକ ଦର୍ଶନର ଆଉ ଗୋଟିଏ ପଥ ପ୍ରଦର୍ଶକ।

ତୁମେ ଯଦି ଲୋକଙ୍କୁ ଭଲ ପାଅ, ତେବେ ତୁମେ ରହିଥିବା ପଦବୀକୁ କେବଳ ଏକ ପଦବୀ ବୋଲି ଭାବ ନାହିଁ, ବରଂ ଏହାକୁ ସେବାର ଏକ ମାଧ୍ୟମ ବୋଲି ଗ୍ରହଣ କର। ତୁମେ କ୍ଷମତାକୁ କ୍ଷମତା ବୋଲି ଭାବ ନାହିଁ, ବରଂ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ମାଧ୍ୟମ ବୋଲି ଭାବି କାମ କରି ଚାଲ।

ଯଦି ତୁମେ ଲୋକଙ୍କୁ ଭଲ ପାଉଥାଅ, ତେବେ ରାଜନୀତିର ସବୁ ନକରାତ୍ମକ ବିଷୟ-କ୍ଷମତା, ସମ୍ପତ୍ତି, ପଦବୀ, ଏ ସବୁ ମୂଲ୍ୟହୀନ ହୋଇପଡେ।

ତୁମେ ଯଦି ଲୋକଙ୍କ ସ୍ନେହ  ଓ ଶ୍ରଦ୍ଧା ପାଇଁ କାମ କର, ତେବେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ, ତୁମେ ସେଥିପାଇଁ ଉଦ୍ୟମ କର ଏବଂ ବିଶ୍ୱସ୍ତରରେ ନୂଆ ବେଞ୍ଚ ମାର୍କ ପ୍ରତିଷ୍ଠା କରିପାରିବ। ଯଦି ତୁମେ ଲୋକଙ୍କୁ ଭଲ ପାଇବ, ତେବେ ତୁମେ କେବେ ବି ଚାହିଁବ ନାହିଁ, ଯେ କେହି ଖୋଲା ଆକାଶ ତଳେ ରହୁ। ଫଳତଃ ତୁମେ ଗ୍ରାମ୍ୟ ଗୃହ ନିର୍ମାଣରେ ଦେଶରେ ଅଗ୍ରଣୀ ହୋଇପାରିବ। ତୁମେ ଯଦି ତୁମର ଲୋକଙ୍କୁ ଭଲପାଅ, ତେବେ ରାଜ୍ୟର ବିକାଶର କାହାଣୀରେ ସବୁଠାରୁ ଦୁର୍ବଳ ଓ ଅସୁରକ୍ଷିତ ଲୋକଙ୍କୁ ଭାଗୀଦାର କରିବା ପାଇଁ ଆହୁରି ଅଧିକ ପଥ ଅତିକ୍ରମ କରିବାକୁ ଉଦ୍ୟମ କର ଏବଂ ଶେଷରେ ଜନଜାତି ବିକାଶ ପରିଷଦ ଗଠିତ ହୋଇପାରିବ।

ତୁମେ ଯଦି ତୁମର ଲୋକଙ୍କୁ ଭଲ ପାଅ, ତେବେ ତୁମେ କେବେ ଚାହିଁବ ନାହିଁ ଯେ ଲୋକମାନେ ରାତିରେ ଭୋକିଲା ରୁହନ୍ତୁ ଏବଂ ଶେଷରେ ତୁମେ ଦେଶରେ ଗରିବୀ ହ୍ରାସ ଦିଗରେ ସବୁଠାରେ ଭଲ ରାଜ୍ୟ ହୋଇପାରିବ। ଯଦି ତୁମେ ତୁମ ଲୋକଙ୍କୁ ଭଲ ପାଅ, ତେବେ ତୁମର ଲକ୍ଷ୍ୟ ନିର୍ବାଚନରେ ଜିତିବା ନୁହେଁ, ସମାଜର ପରିବର୍ତ୍ତନ ହେବ ତୁମ ସଂଗ୍ରାମର ଲକ୍ଷ୍ୟ। ଯଦି ତୁମେ ତୁମର ଲୋକଙ୍କୁ ଭଲ ପାଅ, ତେବେ ତୁମର ପ୍ରତ୍ୟେକ ପଦକ୍ଷେପ ତୁମର ପ୍ରତ୍ୟେକ କାର୍ଯ୍ୟକ୍ରମ, ତୁମର ପ୍ରତ୍ୟେକ ସ୍ୱାକ୍ଷର ଏବଂ ତୁମର ପ୍ରତ୍ୟେକ ନିଶ୍ୱାସ ସହିତ ସେମାନଙ୍କ ପାଇଁ କାମ କରିଚାଲିବ। ତୁମର ଶେଷ ନିଃଶ୍ୱାସ ତ୍ୟାଗର ବହୁ ଦିନ ପର୍ଯ୍ୟନ୍ତ ତୁମେ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ପରି ଲୋକଙ୍କ ହୃଦୟରେ ବଞ୍ଚି ରହିବ।

ଆଜି ମଧ୍ୟ ମୁଁ ନିଜକୁ ରାଜନୀତିରେ ନବାଗତ ବୋଲି ଅନୁଭବ କରୁଛି। ମୁଁ କେବଳ ସେହି ଦୁଇଟି ନୀତିକୁ ଅନୁସରଣ କରୁଛି ଏବଂ ଓଡ଼ିଶାର ଜନସାଧାରଣ ନିରନ୍ତର ଭାବରେ ମୋତେ ଆଶୀର୍ବାଦ କରିଛନ୍ତି ଓ ମୋ ଉପରେ ଆସ୍ଥା ରଖିଛନ୍ତି।

ମୁଁ ଆଜି ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ସ୍ନେହ ଆଦରରେ ପରିପୁଷ୍ଟ ଏକ ପରିବାରର ଜଣେ ସଦସ୍ୟ ହୋଇରହିଛି। ଅଧିକରୁ ଅଧିକ ଭଲ ଲୋକ ରାଜନୀତିରେ ଯୋଗ ଦେବା ଉଚିତ୍ ଏବଂ ନିଜେ ଚାହୁଁଥିବା ପରିବର୍ତ୍ତନରେ ଅଂଶ ହେବା ଉଚିତ୍। ଯଦି ତୁମେ ଲୋକଙ୍କୁ ସବୁଠାରୁ ଆଗରେ ରଖିବ, ତେବେ ଏହା ଏକ ରାଜନୈତିକ ଯାତ୍ରା ନୁହେଁ, ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ହେବ।

Comment