ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଥାନା ଅଧିକାରୀଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଟିମ୍‌
  • କୋରାପୁଟ ମେଡିକାଲ ଓ ପୀଡ଼ିତାଙ୍କ ଗାଁକୁ ଗଲେ ତଦନ୍ତକାରୀ ଅଫିସର୍
  • ପ୍ରମାଣ ନଷ୍ଟ କରାଯାଉଥିବା ବିଜେପିର ଅଭିଯୋଗ
  • ସିବିଆଇ ତଦନ୍ତ ପୁଣି ଦାବି କଲା ବିଜେପି
  • ନବୀନ ନିବାସ ଘେରିବାକୁ ଯୁବ କଂଗ୍ରେସର ଚେତାବନୀ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ଡିଏସ୍‌ପିଙ୍କ ନେତୃତ୍ୱରେ କୁନ୍ଦୁଲି ଯାଇଥିବା ୫ ଜଣିଆ ଟିମ୍‌ ମେଡିକାଲ, ଥାନା ଏବଂ ପୀଡ଼ିତାଙ୍କ ଗାଁକୁ ଯାଇ ତନାଘନା କରୁଛନ୍ତି। ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବିଜେପି ଆଙ୍ଗୁଳି ଉଠାଇଛି। ତଦନ୍ତ ଉପରେ ଭରସା ନାହିଁ କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର କାରଣ ଖୋଜିବା ପାଇଁ ପୋଲିସ ଡିଜି ଆର୍‌ ପି ଶର୍ମାଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ସୋମବାର କୋରାପୁଟ ଜିଲ୍ଲା କୁନ୍ଦୁଲି ଗସ୍ତ କରିଛନ୍ତି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି।

ପଟ୍ଟାଙ୍ଗି ଥାନା ଅଧିକାରୀ ଏବଂ ତତ୍କାଳୀନ ସେମିଳିଗୁଡ଼ା ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିବା ସହ କୋରାପୁଟ ମେଡିକାଲ ଗସ୍ତ କରିଥିଲେ ତଦନ୍ତକାରୀ ଟିମ୍। ଏହାସହ ପୀଡ଼ିତାଙ୍କ ଗାଁକୁ ଯାଇ କ୍ରାଇମବ୍ରାଞ୍ଚ ଘଟଣା ସମ୍ପର୍କରେ ପଚାରିଛି। କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବି ଯାଇଥିଲେ ତଦନ୍ତକାରୀ ଅଫିସର୍। ବିଭିନ୍ନ ଲୋକଙ୍କୁ ଭେଟି ଘଟଣାର ଖୋଳତାଡ଼ କରାଯାଉଛି।

ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରୁନି ବିଜେପି। ପ୍ରମାଣ ଯୋଗାଡ଼ ପାଇଁ ନୁହେଁ ପ୍ରମାଣ ନଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଇଥିବା ବିଜେପି ଅଭିଯୋଗ କରିଛି।

ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “କ୍ରାଇମବ୍ରାଞ୍ଚ ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିବ ନାହିଁ। ତୁରନ୍ତ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ। ଯେତେ ପ୍ରମାଣ ଅଛି ସେସବୁ ମଧ୍ୟ କେନ୍ଦ୍ରିୟ ଫୋରେନସିକ ଲାବକୁ ପଠାଯାଉ।”

ବିଜେପିର ଏହି ଅଭିଯୋଗ ଉପରେ ବିଜେଡି ଜବାବ ଦେଇଛି। ବିଜେଡି ମୁଖପାତ୍ର ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, “ଘଟଣା ଉପରୁ ପରଦା ହଟାଇବା ପାଇଁ ଯାହା ଦରକାର ତାହା ରାଜ୍ୟ ସରକାର କରୁଛନ୍ତି। ଘଟଣାର ନ୍ୟାୟିକ ତଦନ୍ତ ଚାଲିଛି। ଯଦି ବିଜେପି ଏଥିରେ ସନ୍ତୁଷ୍ଟ ନୁହେଁ ତାହେଲେ ବୁଝିବାକୁ ହେବ ଏହାକୁ ରାଜନୀତିର ରୂପ ଦିଆଯାଉଛି।”

ଯୁବ କଂଗ୍ରେସ ବି ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆଦିବାସୀ ସମ୍ପ୍ରଦାୟର ନାବାଳିକାଙ୍କୁ ସରକାର ନ୍ୟାୟ ଦେଇ ନପାରିବା ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଛନ୍ତି।

ପୀଡ଼ିତା ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବା ସହ ୭ ଦିନ ଭିତରେ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛି। ନହେଲେ ନବୀନ ନିବାସ ଘେରାଉ କରିବାକୁ ସେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here