ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‌ଯାପିତ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍‍ଯାପନୀ ଉତ୍ସବରେ କଥକ, କୁଚିପୁଡି, ଓଡ଼ିଶୀ ଏବଂ ସମରକଳା ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ଡକ୍ଟର ସୋନାଲ ମାନସିଂହଙ୍କୁ ରୁଚି ବୁଦ୍ଧ ସମ୍ମାନ ପ୍ରଦାନ କରାଯାଇଥିଲା।

ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଥମେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନଦୀ ଉପରେ କବିତା ଆବୃତି କରିଥିଲେ। ପରେ ବିଧା ଲାଲ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ କରାଯାଇଥିଲା। ସେମାନଙ୍କର ପ୍ରସ୍ତୁତିରେ ଥିଲା ଗଙ୍ଗା। ଶିବଙ୍କ ଜଟାରୁ ବାହାରିଥିବା ଗଙ୍ଗା ହେଉଛି ପବିତ୍ର ନଦୀ ସେହି ନଦୀର ଜଳକୁ ଆରତୀ ମାଧ୍ୟମରେ ଜଣେ ନାରୀ କେମିତି ସେହି ଜଳକୁ ନିଜର ଆରାଧ୍ୟ ଦେବତା ଶିବଙ୍କୁ ଅର୍ପଣ କରୁଛି ତାହାକୁ କଥକ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ। ଏହାର ନୃତ୍ୟ ସଂରଚନା କରିଥିଲେ ବିଧା ଲାଲ।

ପରବର୍ତ୍ତୀ ପ୍ରସ୍ତୁତି ଥିଲା ଯମୁନା। କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ଏହାକୁ ପରିବେଷଣ କରିଥିଲେ ପ୍ରତିକ୍ଷା କାଶୀ ଓ ସାଥୀ। ଯମୁନା ନଦୀ କୂଳରେ ଶ୍ରୀକୃଷ୍ଣଙ୍କ ରାସ ଲୀଳା ଏବଂ କାଳୀୟ ଦଳନକୁ ସେମାନେ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବୈଜୟନ୍ତି କାଶୀ।

ଓଡ଼ିଶା ଡ୍ୟାନ୍ସ ଏକାଡେ଼ମୀର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେମାନଙ୍କ ପ୍ରସ୍ତୁତିରେ ଥିଲା ଗାନ୍ଧିଜୀଙ୍କ ଉପରେ ଆଧାରିତ ନୃତ୍ୟାଭିନୟ ଅହିଂସା। ଏହି ଦେଶାତ୍ମବୋଧକ ପ୍ରସ୍ତୁତିଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ସାମ୍ନାକୁ ଆଣିଥିଲେ ଗୁରୁ ଅରୁଣା ମହାନ୍ତି। ଏହାର ସଂଳାପ ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ।

ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ମିନତୀ ମିଶ୍ର, ପୁର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡକ୍ଟର ନିତୀନ ଭାନୁଦାସ ଜାଓ୍ବାଲେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ କମଳାକାନ୍ତ ମିଶ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଭାପତି ସତ୍ୟାନନ୍ଦ ମିଶ୍ର, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଓ ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିଆନା ଚିତାରିଷ୍ଟ। କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ।

ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ଜେନା, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଅଜୟ କୁମାର ରାଉତ, ପରିସଂଖ୍ୟାନ ଅଧିକାରୀ ବିଜୟ କୁମାର ମାଝି, ପ୍ରମୋଦ କୁମାର ସାମଲ, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ସୁଦର୍ଶନ ବଟୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comment