ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏହି ଠକେଇରେ ପିଏନବି ସମେତ ଅନ୍ୟ ତିନିଟି ବ୍ୟାଙ୍କର କର୍ମଚାରୀ ସାମିଲ ଅଛନ୍ତି ଓ ସେମାନଙ୍କ ଜାଣତରେ ଏହା ହୋଇଛି। ସନ୍ଦେହରେ ପିଏନବିର ୧୦ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସିବିଆଇ ଏହି ଠକେଇ ଘଟଣାକୁ ହାତକୁ ନେଇସାରିଛି।

ପ୍ରାୟ ୧୧ ହଜାର ୫୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ପର୍ଦ୍ଦାଫାସ୍‌ ହେବା ଆରମ୍ଭ ହୋଇଛି। କୁହାଯାଉଛି ଏହାର ପ୍ରଭାବ ଦୁଇଟି ବ୍ୟାଙ୍କ ଉପରେ ପଡ଼ିବ। ଏହି ଦୁଇଟି ବ୍ୟାଙ୍କ ହେଲା ଆଲାହାବାଦ ବ୍ୟାଙ୍କ ଓ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ। ଘରୋଇ ବ୍ୟାଙ୍କ ହିସାବରେ ଆକ୍ସିସ ବ୍ୟାଙ୍କ ମଧ୍ୟ କ୍ଷତି ସହିବ।

ଖବର ଅନୁସାରେ ଉପରୋକ୍ତ ତିନିଟି ବ୍ୟାଙ୍କ ପିଏନବି ଦ୍ୱାରା ଜାରି କରାଯାଇଥିବା ଲେଟର ଅଫ ଅଣ୍ଡରଟେକିଙ୍ଗ(ଏଲଓୟୁ) କୁ ଭିତ୍ତି କରି ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏଲଓୟୁ ହେଉଛି ଏକ ପ୍ରକାର ଗ୍ୟାରେଣ୍ଟି ଯାହାକୁ ଆଧାର କରି ଅନ୍ୟ ବ୍ୟାଙ୍କ ଋଣ ଦେଇପାରିବ। ଯଦି ଋଣ ଗ୍ରହୀତା ପରିଶୋଧରେ ଖିଲାପ କରୁଛନ୍ତି ଏଲଓୟୁ ଜାରି କରିଥିବା ବ୍ୟାଙ୍କ ହିଁ ଏଥିପାଇଁ ଦାୟୀ ରହିବେ ଓ ଯେଉଁ ବ୍ୟାଙ୍କ ଋଣ ଦେଇଛନ୍ତି ସେଇ ବ୍ୟାଙ୍କ ଋଣ ଟଙ୍କା ଫେରି ପାଇବାକୁ ବାଧ୍ୟ।

କୁହାଯାଉଛି ଏହି ଠକେଇରେ ପିଏନବି ସମେତ ଅନ୍ୟ ତିନିଟି ବ୍ୟାଙ୍କର କର୍ମଚାରୀ ସାମିଲ ଅଛନ୍ତି ଓ ସେମାନଙ୍କ ଜାଣତରେ ଏହା ହୋଇଛି। ସନ୍ଦେହରେ ପିଏନବିର ୧୦ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସିବିଆଇ ଏହି ଠକେଇ ଘଟଣାକୁ ହାତକୁ ନେଇସାରିଛି। ପିଏନବି କର୍ତ୍ତୃପକ୍ଷ ସିବିଆଇକୁ କହିଛନ୍ତି ଯେ ପ୍ରଥମ ଏଲଓୟୁ ଜାନୁଆରୀ ୧୬ ତାରିଖରେ ଜାରି କରାଯାଇଥିଲା।

ଏହି ଘୋଟାଲାର ଖଳନାୟକ ହେଉଛନ୍ତି ନୀରବ ମୋଦି ନାମକ ଜଣେ ହୀରା ବେପାରି। ଏଥି ସହିତ ତିନିଟି ବଡ଼ ଗହଣା ତିଆରି କମ୍ପାନି – ଗୀତାଞ୍ଜଳି, ଗିନୀ, ନକ୍ଷତ୍ରର କାରବାର ମଧ୍ୟ ସନ୍ଦେହ ଭିତରକୁ ଆସିଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ କରିଦିଆଯାଇଛି। ପୂର୍ବରୁ ମଧ୍ୟ ଏହି ହୀରା ବେପାରି ଜଣକ ବ୍ୟାଙ୍କ ଅଫ ବରୋଦାରୁ ଏହିଭଳି ଠକେଇରେ ସାମିଲ ହୋଇଥିଲା। ଏହି କାରବାରରେ ମୋଦିର ଭାଇ ଏବଂ ପତ୍ନୀ ମଧ୍ୟ ଜଡ଼ିତ ଥିବା କୁହାଯାଉଛି। ମୋଦିର ଆଭୂଷଣ ଅତ୍ୟନ୍ତ ଲୋକପ୍ରିୟ ଓ ତାର ବହୁ ନାମୀଦାମୀ ଗ୍ରାହକ ଅଛନ୍ତି।

Comment