ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: କବିତୀର୍ଥ ଶାନ୍ତିକାନନଠାରେ ଫକିରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଦୀପକ ବୋଷଙ୍କର ‘ପାଉଁଶ ତଳର ନିଆଁ’ ଶୀର୍ଷକ ଏକ ସ୍ମୃତିକଥା ସମ୍ବଳିତ ଗ୍ରନ୍ଥ ଲୋକାର୍ପିତ ହୋଇଛି। ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ପୌରୋହିତ୍ୟ କରିଥିଲେ।
ଏହି ଉତ୍ସବରେ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗ ଦେଇ ଗ୍ରନ୍ଥଟିକୁ ଉନ୍ମୋଚନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ମୃତିକଥା ତିନୋଟି ବିଷୟବସ୍ତୁକୁ ଆଧାର କରିଥାଏ। ସେହି ତିନୋଟି ହେଲା- ଆତ୍ମଜୀବନୀ, ଜୀବନୀ ଓ ସ୍ମୃତି। ଦୀପକ ବୋଷଙ୍କର ଏହି ଗ୍ରନ୍ଥରେ ଯାହାଙ୍କ ଉଦ୍ଦେଶ୍ୟରେ କଥାଗୁଡ଼ିକ ରଚନା କରାଯାଇଛି ତାଙ୍କ ସହ ସମ୍ପର୍କର ସ୍ମୃତି ଚର୍ଚ୍ଚା ହେବା ସହିତ ଉଭୟଙ୍କର ଚରିତ୍ରର ସମ୍ୟକ୍ ଅଂଶ ମଧ୍ୟ ପ୍ରଦର୍ଶିତ ହୋଇଛି।
ଏହି ଗ୍ରନ୍ଥ ସମ୍ପର୍କରେ ସମ୍ୟକ୍ ଆଲୋଚନା କରିବା ପାଇଁ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବଂଶୀଧର ଚୌଧୁରୀ ଓ ପରିଷଦର ସମ୍ପାଦକ ନିବାରଣ ଜେନା ଉପସ୍ଥିତ ରହି ସ୍ମୃତିକଥାର ଚରିତ୍ରଗୁଡ଼ିକର ଚର୍ଚ୍ଚା କରିଥିଲେ।
ପୁସ୍ତକର ଜଣେ ଚରିତ୍ର ବିଷ୍ଣୁପ୍ରିୟା ଦାସ ୧୮ ବର୍ଷ ଧରି ପାରାଲେସିସ୍ ରୋଗରେ ଆକ୍ରାନ୍ତ ହୋଇ ବିଛଣାରୁ ଉଠିବାକୁ ଅକ୍ଷମ ଥିଲେ। ଏଭଳି ପରିସ୍ଥିତିରେ ସେ କିପରି କରୁଣ ରସାତ୍ମକ କବିତା ରଚନା କରିପାରିଥିଲେ ତାହାର ସୂଚନା ଦେଇଥିଲେ ଡକ୍ଟର ବଂଶୀଧର ଚୌଧୁରୀ।
ଏହି ଗ୍ରନ୍ଥରେ ବାରିଷ୍ଟର ଗୋବିନ୍ଦ ଦାସ, ଚନ୍ଦ୍ର କୁମାର ମହାନ୍ତି, ପଞ୍ଚାନନ ଦାଶ, ଡାକ୍ତର ଭବାନି ଶଙ୍କର ପରିଜା, ବାଞ୍ଛାନିଧି ନାୟକ, ଦୟାନିଧି ପାଢ଼ୀ, ଜାମାଇବାବୁ, ପୁରୁଷୋତ୍ତମ ଭୂୟାଁ, ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ଶତାୟୁ ପୁରୁଷ ନିତ୍ୟାନନ୍ଦ ମହାପାତ୍ରଙ୍କ ସ୍ମୃତି ଉଲ୍ଲେଖ କରାଯାଇଛି।
ପରିଷଦର ଉପସଭାପତି ପ୍ରଦୀପ ଚାଟାର୍ଜୀ ଏହି ଉତ୍ସବରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଓ ଲେଖକ ଦୀପକ ବୋଷ ତାଙ୍କର ଲେଖକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆସରରେ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ନିର୍ମଳା ମହାନ୍ତି, କମଳିନୀ କାସ୍ତ, ମନସ୍ୱିନୀ ଦେବୀ, ପ୍ରତିମା ପଣ୍ଡା, ଅଂଜଳି ପଣ୍ଡା, ଅରୁଣା ରାୟ, ଅର୍ଚ୍ଚନା ନନ୍ଦୀ, ବାସନ୍ତି ଦେ, ମଧୁସୂଦନ ମାଝି, ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


















