ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର ସହରସ୍ଥିତ ଗାନ୍ଧି ସ୍ମୃତି ଭବନଠାରେ ଆୟୋଜିତ ଦୁଇଦିନିଆ ଜିଲ୍ଲା ଲୋକକଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଅପରାହ୍ଣରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦର ସଭାପତି ନିବେଦିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜଳେଶ୍ୱରର ଦୁଇଭାଇ ପାଲା ପରିଷଦକୁ ପ୍ରଥମ, ମା’ ବୀଣାପାଣି ପାଲା ସାହିତ୍ୟ ସଂସଦକୁ ଦ୍ୱିତୀୟ ଏବଂ ଦାସକାଠିଆ ପରିବେଷଣ ପାଇଁ ଶ୍ରୀ ଶୀତଳା ଦେବୀ ସଂକୀର୍ତ୍ତନ ଓ ଦାସକାଠିଆ ପରିଷଦକୁ ତୃତୀୟ ରୂପେ ବିବେଚିତ କରି ପୁରସ୍କୃତ କରାଯାଇଥିଲା।

ସେହିପରି ଦ୍ୱିତୀୟ ଦିନରେ ଶ୍ରୀ ଶ୍ୟାମ ସୁନ୍ଦର ଦାସଙ୍କ ନେତୃତ୍ୱରେ ସଂକୀର୍ତ୍ତନ ପରିବେଷଣ ପାଇଁ ରେମୁଣା ବ୍ଲକର ବେଦଭାରତୀ ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମ, ଦୀନକୃଷ୍ଣ ଦାସଙ୍କ ନେତୃତ୍ୱରେ ପରିବେଷିତ ରାଉତରାୟପୁରର ଦଳକୁ ଦ୍ୱିତୀୟ ଏବଂ ମହାବଳୀ ବିର୍ସାମୁଣ୍ଡାର ମୁଣ୍ଡାରୀ ନୃତ୍ୟ ଦଳ ନୀଳଗିରି ଏବଂ ବାହାନଗାର ସଦଶିବ ମହାଳିକଙ୍କ ନେତୃତ୍ୱରେ ପରିବେଷିତ ରାଧାମାଧବ ଜୀଉ ପାଲା ପରିଷଦର ପାଲାକୁ ତୃତୀୟ ଭାବେ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।

ଏହି ପ୍ରତିଯୋଗିତାରେ ଶରତ ଚନ୍ଦ୍ର ଦାସ, ହେମେନ୍ଦ୍ର ମହାପାତ୍ର ଏବଂ ଚକ୍ରଧର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଆୟୋଜିତ ବିରଳ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜକ ସର୍ବେଶ୍ୱର ଦାସଙ୍କୁ ମଧ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ସ୍ୱତନ୍ତ୍ର ଭାବେ ସବୁ ବ୍ଲକରୁ ଆସିଥିବା ବ୍ଲକ କଳାକାର ସଂଘର ଉପସଭାପତିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବାଲେଶ୍ୱର ଉପ-ଜିଲ୍ଲାପାଳ ଭବତାରଣ ସାହୁ, ନୀଳଗିରି ଉପ-ଜିଲ୍ଲାପାଳ ଅବୋଲି ଏସ ନରଅଣେ, ଜିଲ୍ଲା କଳାସଂଘର ଉପସଭାପତି ଚକ୍ରଧର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ ପ୍ରମୁଖ ଯୋଗ ଦେଇଥିଲେ।

Comment