ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀରାମ ନବମୀ ଯାତ୍ରା ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ସହରରେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶନିବାର ସନ୍ଧ୍ୟା ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୧୫ ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଯାଉଛି। ଏହା ପୂର୍ବରୁ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି।
ରାମନବମୀ ଶୋଭାଯାତ୍ରା ଉପରେ ପ୍ରଶାସନ କଟକଣା ଜାରି କରିଛି। ସୋସିଆଲ ମିଡିଆରେ ଧର୍ମୀୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
୨୦୧୭ ଏପ୍ରିଲରେ ସୋସିଆଲ ମିଡିଆରେ ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିପାଇଁ ସହରରେ ୪୫ ଦିନ ଧରି କର୍ଫ୍ୟୁ ଜାରି କରିଥିଲା ପ୍ରଶାସନ। ଏଣୁ ଚଳିତ ବର୍ଷ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆଗୁଆ ସତର୍କତା ଅବଲମ୍ବନ କରିଛି ପ୍ରଶାସନ। ଭଦ୍ରକ ଗାନ୍ଧି ପଡ଼ିଆରେ ପ୍ରତିବର୍ଷ ରାମନବମୀ ଧୁମଧାମରେ ପାଳନ କରାଯାଇଥାଏ।


















