ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଫଳାଫଳ ବିଜେପିକୁ ଦେଇଛି ଝଟ୍କା। ଏହି ଉପ-ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ପଶ୍ଚିମ ଓଡ଼ିଶାରେ ବିଜେପି ଦୁର୍ଗ ଭୁଶୁଡ଼ୁଛି। ଦୁର୍ଗ ରକ୍ଷା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦୁଇ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି।
- ୪ ତାରିଖରେ ଭବାନିପାଟଣାରେ ଜନ ସମାବେଶ
- ୫ରେ ବଲାଙ୍ଗିରଠାରେ ଯୁବ ସମାବେଶକୁ ସମ୍ବୋଧିତ କରିବେ ଶାହା
ବିଜେପୁର ଉପ-ନିର୍ବାଚନରେ ପରାଜିତ ହେବା ପରେ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରୁଛି ବିଜେପି। ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏପ୍ରିଲ ୪ରେ ଭବାନିପାଟଣା ଏବଂ ବଲାଙ୍ଗିର ଆସୁଛନ୍ତି। ଏଠାରେ ସେ ଜନସାଧାରଣଙ୍କୁ ଉଦବୋଧନ ଦେବେ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଏପ୍ରିଲ ମାସ ୪ ଏବଂ ୫ ତାରିଖରେ ସେ ଓଡ଼ିଶାରେ ରହିବେ। ଶାହା ୪ ତାରିଖ ଦିନ ଦିଲ୍ଲୀରୁ ରାୟପୁର ଦେଇ ଭବାନିପାଟଣାଠାରେ ପହଞ୍ଚିବେ। ଭବାନିପାଟଣାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ସେ ଯୋଗ ଦେବେ। ଏହାସହ ସହ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ୫ ତାରିଖ ଦିନ ଶାହା ବଲାଙ୍ଗୀରଠାରେ ବିଶାଳ ଯୁବ ସମାବେଶକୁ ସମ୍ବୋଧନ କରିବେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି।
ପଶ୍ଚିମ ଓଡ଼ିଶା ହେଉଛି ବିଜେପିର ଦୁର୍ଗ। ୨୦୧୪ରେ ଯେଉଁ ୧୦ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମ ଓଡ଼ିଶାର। ବସନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ଦିଲ୍ଲୀପ ରାୟଙ୍କ ପର୍ଯ୍ୟନ୍ତ ଟାଣୁଆ ନେତା ସବୁ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି। ଏହାସହ ଆଜି ଯାଏଁ ବିଜେପିର ଯେତେ ରାଜ୍ୟ ସଭାପତି ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ପଶ୍ଚିମ ଓଡ଼ିଶା ନେତା। ଗତ ପଞ୍ଚାୟତ ନିର୍ବାଚନରେ ବି ବିଜେପି ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିଲା। କେବଳ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ବାଚନମଣ୍ଡଳୀ ନୂଆପଡ଼ାରେ ବିଜେପି ସ୍ଥିତି ହରାଇଥିଲା।
ହେଲେ ଏବେ ସମୟ ବଦଳିଛି। ପଶ୍ଚିମ ଓଡ଼ିଶାରେ ବିଜେପି ଦିନକୁ ଦିନ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ। ଏହାର ପ୍ରମାଣ ଦେଇଛି ବିଜେପୁର ଉପ-ନିର୍ବାଚନ। ଗତ ବର୍ଷକ ତଳେ ହୋଇଥିବା ଉପ-ନିର୍ବାଚନରେ ବିଜେପି ବିଜେପୁରରେ ୯୨ ହଜାର ଭୋଟ ପାଇଥିଲା। ୭ଟି ଜିଲ୍ଲା ପରିଷଦ ଜୋନରୁ ୬ଟି ଅକ୍ତିଆର କରିଥିଲା ଏହି ଜାତୀୟ ଦଳ। କିନ୍ତୁ ଉପ-ନିର୍ବାଚନରେ ସବୁ ଅଙ୍କ ଫେଲ୍ ହୋଇଯାଇଛି।
ବିଜେଡିଠାରୁ ପ୍ରାୟ ୪୨ ହଜାର ଭୋଟରରେ ପରାଜିତ ହୋଇଛି ବିଜେପି। ବିଜେପୁର ଉପ-ନିର୍ବାଚନରେ ଦମ୍ ଦେଖାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ତାହା ଫଳପ୍ରଦ ହୋଇ ନଥିଲା। ଫଳରେ ଅମିତ ଶାହାଙ୍କ ମିଶନ-୧୨୦କୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏସବୁକୁ ଦୃଷ୍ଟିରେ ରଖି ବିଜେପି ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାରେ ନିଜ ସ୍ଥିତି ମଜଭୁତ କରିବା ପାଇଁ ବିଜେପି ଚିନ୍ତା କରିଛି। ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଆଣି ଦଳ ସଙ୍ଗଠନ ସଜାଡ଼ିବା ପାଇଁ ଗୋଟି ଚଳାଇଛି।








ବିଜେପୁର ଫଳାଫଳ ବିଜେପିକୁ ଦେଇଛି ଝଟ୍କା। ଏହି ଉପ-ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ପଶ୍ଚିମ ଓଡ଼ିଶାରେ ବିଜେପି ଦୁର୍ଗ ଭୁଶୁଡ଼ୁଛି। ଦୁର୍ଗ ରକ୍ଷା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦୁଇ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି।









