ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶା ସବୁବେଳେ ଅବହେଳାର ଶିକାର ହୋଇ ଆସିଛି। ଉଭୟ ୟୁପିଏ ଏବଂ ଏନଡିଏ ସରକାର ଓଡ଼ିଶାକୁ ହତାଦର କରିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମେ ଦୀର୍ଘ ଦିନ ହେଲା ଦାବି କରି ଆସୁଛି। କିନ୍ତୁ ଆମ ଦାବିକୁ ୟୁପିଏ ଏବଂ ଏନଡିଏ ଅଣଦେଖା କରିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଂସଦରେ ଏନଡି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍ କଂଗ୍ରେସ ଏବଂ ଟିଡିପି। ଏହାକୁ ବାମ ଦଳ ସମେତ ଅନ୍ୟ କିଛି ଦଳ ସମର୍ଥନ କରୁଛନ୍ତି। ହେଲେ ଏହି ଅନାସ୍ଥା ଭୋଟରେ ବିଜେଡିର ଭୂମିକା କ’ଣ ରହିବ ତାହା ଜାଣିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟପଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାର ଉତ୍ତରରେ ନବୀନ ଉପରୋକ୍ତ ଉତ୍ତର ଦେବା ସହ ଠିକ୍ ସମୟରେ ଠିକ୍ ପଦକ୍ଷେପ ନିଆଯିବ ବୋଲି ମନ୍ତବ୍ୟ ଦେଇଛନ୍ତି।

ସୋମବାର ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଥିଲା। ହେଲେ ହୋ-ହଲ୍ଲା ହେବାରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରି ନଥିଲା। ବାଚସ୍ପତି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି କରିଛନ୍ତି। ମଙ୍ଗଳବାର ଅନାସ୍ଥା ଭୋଟର ସମ୍ମୁଖୀନ ମୋଦି ସରକାର ହୋଇପାରନ୍ତି।

ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଟିଡିପି ଦାବି କରି ଆସୁଥିଲା। ହେଲେ ଏଥିରେ କେନ୍ଦ୍ର ସରକାର ରାଜି ନହେବାରୁ ଟିଡିପି ଏନଡିଏ ମେଣ୍ଟରୁ ଓହରି ଆସିଥିଲା। ଫଳରେ ୱାଇଏସ୍‌ଆର କଂଗ୍ରେସ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଲୋକସଭାରେ ନୋଟିସ ଦେଇଥିଲା। ଏହାକୁ ଟିଡିପି ସମେତ ଆଉ କିଛି ରାଜନୀତିକ ଦଳ ସମର୍ଥନ କରୁଛନ୍ତି।

Comment