ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୨.୬୮ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଛି ସଂଗ୍ରହାଳୟ
  • ସଂଗ୍ରହାଳୟରେ ରହିଛି ୧୦୦ ବର୍ଷର ପୁରୁଣା ସାମଗ୍ରୀ
  • ଟେରାକୋଟା ଏବଂ ପାରମ୍ପରିକ ପଟ୍ଟଚିତ୍ର ବି ଏଠାରେ ସ୍ଥାନ ପାଇଛି

ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ  ବିକାଶ କ୍ଷେତ୍ରରେ ଗୁରୁବାର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଓଡ଼ିଶାର ଉତ୍କୃଷ୍ଟ କଳା ନୈପୁଣ୍ୟତାକୁ ଆଧାର କରି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୨.୬୮ ଏକର ପରିମିତ ଅଞ୍ଚଳରେ ଏହି ସଂଗ୍ରହାଳ଼ୟ ନିର୍ମାଣ କରାଯାଇଛି। ଏଥିପାଇଁ ୩୪.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ, ବିଲୁପ୍ତ ଏବଂ ବିଲୁପ୍ତ ପ୍ରାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସଂଗ୍ରହ କରି ରଖାଯାଇଛି।

ହସ୍ତଶିଳ୍ପ ଗ୍ୟାଲେରୀରେ ଟେରାକୋଟା, ପାରମ୍ପରିକ ପଟ୍ଟଚିତ୍ର, ପଥର ଓ କାଠଖୋଦେଇ, କଂସା ପିତ୍ତଳ, ପ୍ରାକୃତିକ ସାମଗ୍ରୀର ହସ୍ତକଳା, ଆଦିବାସୀ ଓ ବାସ୍ତୁ କଳା, ସମୃଦ୍ଧ ହସ୍ତତନ୍ତ ଓ ବାନ୍ଧକଳା ସ୍ଥାନିତ ହୋଇଛି। ଏହି ସଂଗ୍ରହାଳୟରେ ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟର ପୁରାତନ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି।

“ରାଜ୍ୟର ସମସ୍ତ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେମାନଙ୍କ ଆର୍ଥିକ ବିକାଶ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରାଯାଉଛି। ଯେଉଁମାନେ ଏହି କୌଳିକ ବୃତ୍ତିକୁ ଆପଣାଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ବିଧାୟକ ପ୍ରିୟଦର୍ଶି ମିଶ୍ର ଏବଂ ମେୟ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comment