ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଚଳିତ ବଜେଟ୍‌ର ପରିମାଣ ରହିଛି ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଏହି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି। ସବୁ ବର୍ଗକୁ ଚଳିତ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି।

୨୦୧୮-୧୯ରେ ରାଜ୍ୟର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

କେଉଁ କ୍ଷେତ୍ର ପାଇଁ କେତେ?

ଶିକ୍ଷା ଓ ସଧକ୍ଷତା ବିକାଶ ପାଇଁ ସର୍ବାଧିକ ଟଙ୍କା ଆବଣ୍ଟନ କରାଯାଇଛି। ମୋ ସ୍କୁଲ ଅଭିଯାନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ସର୍ବଶିକ୍ଷା ଅଭିଯାନପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ପାଇଁ ୨୫୦ କୋଟି ଏବଂ ମଧ୍ୟାହ୍ନ ଭୋଜନ ପାଇଁ ୮୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଯୋଜନା ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି ବଜେଟରେ। ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହାସହ କ୍ରୀଡ଼ା, ସ୍ୱାସ୍ଥ୍ୟ ଏବଂ ପଛୁଆ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ସରକାର

-୯ଟି ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୬ କୋଟି ଟଙ୍କା ଦିଆଯାଇଥିବା ବେଳେ ବିଜୁ କେବିକେ ଯୋଜନା ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ବଜେଟରେ ୨,୦୯୦ କୋଟି ଟଙ୍କାର ବ୍ୟବସ୍ଥା କଯରାଯାଇଛି।

-ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧିନରେ ଥିବା ବିଜୁ ଯୁବ ବାହିନୀ ପାଇଁ ୧୦୩ କୋଟି ଟଙ୍କା ବ୍ୟବୟବରାଦ କରାଯାଇଛି।

-ଓଡ଼ିଶା ଷ୍ଟାଟଅପ୍‌ ପଲିସିକୁ ସହଯୋଗ କରିବା ପାଇଁ ଚଳିତ ବଜେଟରେ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

-ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ୨୧୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧିନରେ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୨ ହଜାର ୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-୧୧୭୫ କିମି ରାସ୍ତା, ୪୦ଟି ବ୍ରିଜ ଏବଂ  ୫ଟି ରେଲୱେ ବ୍ରିଜ ନିର୍ମାଣ ପାଇଁ ୪ ହଜାର ୨୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ସହରାଞ୍ଚଳ ବିକାଶ ପାଇଁ ୫ ହଜାର ୧୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-ସ୍ମାର୍ଟସିଟି ପାଇଁ ଅର୍ଥମନ୍ତ୍ରୀ ୫୦୦ କୋଟି ଟଙ୍କା ବ୍ୟବୟରାଦ କରିଛନ୍ତି। ଅମୃତ ଯୋଜନା ପାଇଁ ୨୫୦ କୋଟି ଏବଂ ନ୍ୟାସନାଲ ଅର୍ବାନ ଲାଇଭିଲ ହୁଡ୍ ମିଶନ ପାଇଁ ୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ସାମାଜିକ ନିରାପତ୍ତା ଯୋଜନାରେ ୨ ହଜାର ୫୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିକାଶ ପାଇଁ ୨୨ ହଜାର ୬୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ଆମ ଗାଁ ଆମ ବିକାଶ ଯୋଜନା ପାଇଁ ୧୨୫୦ କୋଟି ଟଙ୍କାର ବ୍ୟବୟରାଦ କରାଯାଇଛି।

-ମହିଳା ଏବଂ ଶିଶୁ ବିକାଶ ପାଇଁ ୩,୪୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-ପାଇପ୍ ଜଳ ଯୋଗାଣ ପାଇଁ ୩ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

-ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ୧୦୦୦ କୋଟି ଏବଂ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୩୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ସାନିପାଟରୀ ନାପ୍‌କିନ୍ ପ୍ରଦାନ ପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

-ନିରାମୟ ଯୋଜନାରେ ମାଗଣା ଔଷଧ ବଣ୍ଟନ ପାଇଁ ୩୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

-ବାଲେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲାରେ ଦୁଇଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୩୬୫ କୋଟି ଟଙ୍କା ବ୍ୟୟବରାଦ।

-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ୍ ପାଇଁ ୭୦୦ କୋଟି ଟଙ୍କାର ବ୍ୟୟବରାଦ।

-ମାଟ୍ରିକ ପୂର୍ବରୁ ଏବଂ ପରେ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବା ପାଇଁ ୧,୭୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ଏସ୍‌ଟି, ଏସ୍‌ସି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ।

Comment