ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର:  ବାଲେଶ୍ୱର ସହରରେ  ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ପ୍ରାଥମିକ ଭାବେ ପ୍ରାୟ ୩୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରିଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି। ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ପ୍ରିୟାନୁଷ୍ଠାନ କମିଟି ଗତ ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି।

ଉକ୍ତ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେଲେ ଜନସାଧାରଣ ଆୟୁର୍ବେଦିକ୍, ଯୋଗ, ୟୁନାନି, ସିଦ୍ଧି ଓ ହୋମିଓପ୍ୟାଥିକ୍ ଚିକିତ୍ସାର ସୁବିଧା ପାଇପାରିବେ। ଭବିଷ୍ୟତରେ ସରକାର ଏହି ହସ୍ପିଟାଲ୍କୁ ମେଡିକାଲ୍ କଲେଜରେ ପରିଣତ କରିବା ସହ ବାଲେଶ୍ୱରରେ ଏକ ଔଷଧିୟ ଉଦ୍ୟାନ ପ୍ରତିଷ୍ଠା ପାଇଁ ଏହି ବୈଠକରେ ଦାବି କରାଯାଇଛି।

କମିଟିର କର୍ମକର୍ତ୍ତାମାନେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଅତିରିକ୍ତ ଜିଲ୍ଲାପାଳ ମାନସ କୁମାର ପାଢ଼ୀଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବିତ ହସ୍ପିଟାଲ ଓ ଭବିଷ୍ୟତରେ ଏହାର ସଂପ୍ରସାରଣ ପାଇଁ ଆବଶ୍ୟକୀୟ ଜମି ସ୍ୱାସ୍ଥ୍ୟ ବିଭାଗକୁ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

କମିଟିର ସ୍ୱତନ୍ତ୍ର ବୈଠକରେ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କ ସମେତ ସୁବ୍ରତ କର, ପ୍ରଭାକର ସାହୁ, ନିରଞ୍ଜନ ପରିଡ଼ା, ଇଂ ବନମାଳି ନାୟକ, ବସନ୍ତଲତା ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ରାୟ, ଗୌରାଙ୍ଗ ପାଣିଗ୍ରାହୀ, ହରେନ୍ ଚନ୍ଦ୍ର ରଣା, ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comment