ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ଦିଲ୍ଲୀରେ ବିଭିନ୍ନ ଛାତ୍ର ସଙ୍ଗଠନ ଘଟଣାର ନିନ୍ଦା କରିଥିବା ବେଳେ ଭୁବନେଶ୍ୱରରେ ଛାତ୍ର ବିଜେଡି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରିଛି।

ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାଜଧାନୀ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଛି। ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ପୁନଃ ପରୀକ୍ଷା ନିଷ୍ପତ୍ତିକୁ ଅଭିଭାବକ ସଂଘ ଏବଂ ଛାତ୍ର ବିଜେଡି ବିରୋଧ କରିଛନ୍ତି। ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ଇସ୍ତଫା ଦାବି କରିଛି ଛାତ୍ର ବିଜେଡି।

ସିବିଏସ୍‌ଇ ଦଶମ ଶ୍ରେଣୀର ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ହ୍ୱାଟ୍‌ସ ଆପ୍‌ରେ ଘୂରି ବୁଲିଥିଲା। ଅଭିଯୋଗ ଆସିବା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ମାନବ ସମ୍ବଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଯେଉଁ ବିଷୟର ପ୍ରଶ୍ନପତ୍ର ଲିକ୍‌ ହୋଇଛି ସେହି ବିଷୟରେ ଆଉଥରେ ପରୀକ୍ଷା କରିବା ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ବିଭିନ୍ନ ସଙ୍ଗଠନ ବିରୋଧ କରୁଛନ୍ତି। ଦିଲ୍ଲୀରେ ବିଭିନ୍ନ ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଛାତ୍ର ବିଜେଡି, ଅଲ ଇଣ୍ଡିଆ ଡିଏସ୍‌ଓ ବିରୋଧ କରିଛନ୍ତି।

ଅଭିଭାବକ ସଂଘ ସୁଦର୍ଶନ ଦାସ କହିଛନ୍ତି, “ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ପରୀକ୍ଷାର ଅଧ ଘଣ୍ଟା ପୂର୍ବରୁ ଦିଲ୍ଲୀରେ ଯଦି ପ୍ରଶ୍ନପତ୍ର ଲିକ୍‌ ହେଲା ତାହାଲେ ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କାହିଁକି ଆଉଥରେ ପରୀକ୍ଷା ଦେବେ?”

ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଏବଂ ଉପଦେଷ୍ଟା ଚିନ୍ମୟ ସାହୁଙ୍କ ନେତୃତ୍ବରେ ବହୁ ଛାତ୍ର ନେତା ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରେ ସହଯୋଗ କରିଥିଲେ ଅଭିଭାବକ ସଂଘ। ଯେଉଁଠି ପ୍ରଶ୍ନପତ୍ର ଲିକ୍ ହୋଇଛି ସେଠି କେବଳ ପୁନଃ ପରୀକ୍ଷା କରିବା ପାଇଁ ସେମାନେ ଦାବି କରିଛନ୍ତି।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ରେ କହିଥିଲେ ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷାକୁ ଉତ୍ସବ ଭାବେ ପାଳନ କରନ୍ତୁ। ଆଜି କିନ୍ତୁ ଉତ୍ସବ ଅବଶାଦରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଏବଂ ମାନବ ସମ୍ବଳ ବିଭାଗ ସିବିଏସ୍‌ଇ ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାବଡେକର ତୁରନ୍ତ ଇସ୍ତଫା ଦିଅନ୍ତୁ”, କହିଛନ୍ତି ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ।

ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି, “ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରଦାୟୀ। ବିଭାଗୀୟ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ।”

Comment