ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଶାସ୍ତ୍ରୀୟ ଭାଷାର ଗୌରବ ପାଇଲା। ରାଜ୍ୟରେ ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ବ୍ୟବହାର କରାଯିବାର ନିଷ୍ପତ୍ତି ନେଲେ ସରକାର। ଦେଶ ବିଦେଶରେ ଓଡିଆ ଭାଷାର ଉନ୍ନତି ପାଇଁ ଛାତିଫଟା ଚିତ୍କାର। ହେଲେ ଦୀପ ତଳ ଅନ୍ଧାର ଭଳି ରାଜ୍ୟର ପାଞ୍ଚଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାର ପ୍ରଫେସର ନାହାନ୍ତି। ଏଥିରେ ଆପଣ କାନ୍ଦିବେ ନା ହସିବେ?
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦୁଇ ଦିନ ତଳେ ବିଧାନସଭାରେ ଏହି ଚାଞ୍ଚଲ୍ୟକର ଓ ଲଜ୍ଜାଜନକ ତଥ୍ୟଟି ପ୍ରଦାନ କରିଥିଲେ। ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଏ କଥା କହିଛନ୍ତି।
ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଫକିରମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଜଣେ ବି ପ୍ରଫେସର ନାହାନ୍ତି। ଖାଲି ସେତିକି ନୁହେଁ ଜିଏମ୍ ଓ ରମାଦେବୀରେ ୭ ଟି ଲେଖାଏଁ ଓଡ଼ିଆ ଅଧ୍ୟାପକ ପଦ ପୂରଣ ହେଉନଥିବାରୁ ପିଲା ଖାଲି ହାତରେ ଫେରୁଛନ୍ତି।
ଗୋଟିଏପଟେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ଘନ ଘନ ନିଷ୍ପତ୍ତି ନିଆଯାଉଛି ଅଥଚ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ମାନବ ସମ୍ବଳ ନାହିଁ। ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗବେଷଣାକୁ ଉତ୍ସାହିତ କରିବା ପାଇଁ ନିକଟରେ ପିଏଚଡ଼ି ସିଟ୍ ମଧ୍ୟ ବଢାଯାଇଛି। ଯେଉଁ ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରୀ ପାଇବା ବେଳେ ଓ ସ୍ନାତକୋତ୍ତର ସ୍ତରରେ ଓଡ଼ିଆ ପଢ଼ିବେ ସେମାନଙ୍କ ପାଇଁ ଟ୍ୟୁସନ ଫି ବି ଛାଡିଦିଆଯାଇଛି। ଏସବୁ ସତ୍ତ୍ୱେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଓ ସାହିତ୍ୟ ପଢିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥିବା ଏକ ବିଡ଼ମ୍ବନା ନୁହେଁ କି?
ଓଡ଼ିଆ ଭାଷାକୁ ଓ ସାହିତ୍ୟକୁ ଭଲ ପାଇବା ପାଇଁ ସ୍କୁଲ ସ୍ତରରୁ ଯଦି ପିଲାଙ୍କୁ ଉତ୍ସାହିତ କରା ନ ଯାଏ ଯେତେ ସରକାରୀ ଘୋଷଣା କଲେ ବି ଏହା ଫଳପ୍ରଦ ହେବ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। କିନ୍ତୁ ଏଥିରେ ବି ଗୋଟିଏ କେଁ ରହିଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଓଡ଼ିଶାର ସରକାରୀ ହାଇସ୍କୁଲ ଗୁଡିକରେ ସବୁ ବିଷୟର ଶିକ୍ଷକ ଅଛନ୍ତି କେବଳ ଓଡ଼ିଆ ଭାଷା ଓ ସାହିତ୍ୟକୁ ଛାଡ଼ି। ବିଜ୍ଞାନ ଓ ଖେଳ ଶିକ୍ଷକ ଓଡ଼ିଆ ପଢାନ୍ତି ଏ କଥା କିଏ ଅବା ନ ଜାଣେ?