ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୯ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ମୁମ୍ବାଇ ରାଲିରେ ଯୋଗଦେଇ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି।

“ଯେତେବେଳେ ବନ୍ୟା ପାଣି ମାଡ଼ିଯାଏ ସେତେବେଳେ ଜଙ୍ଗଲର କିଛି ନା କିଛି ଛୋଟ ଗଛ ଉପୁଡ଼ି ପଡ଼ିଥାଏ। ହେଲେ ବଡ଼ ଗଛ ଯେମିତିକୁ ସେମିତି ରହିଥାଏ। ବନ୍ୟା ଦାଉରୁ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲରେ ଥିବା ସାପ, କୁକୁର ଏବଂ ବିଲେଇ ବଡ଼ ଗଛ ଉପରକୁ ଚଢ଼ି ଯାଇଥାନ୍ତି। ହେଲେ ଏବେ ଦେଶରେ ନରେନ୍ଦ୍ର ମୋଦିଙ୍କ ବନ୍ୟା ସୁଅ ଛୁଟୁଛି। ଏଥିରେ ଭୟଭୀତ ହୋଇ ସାପ-ନେଉଳ-କୁକୁର ଏକାଠି ହୋଇ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି”, ବିଜେପି ପ୍ରତିଷ୍ଠା ଦିବସରେ ଅମିତ ଶାହା ଏଭଳି କହି ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି।

ଏହାସହ ଅମିତ ଶାହା ଆହୁରି କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯୋଗୁଁ ବିଜେପି ଆଜି ୨୦ଟି ରାଜ୍ୟରେ ଶାସନରେ ରହିଛି। ୨୦୧୯ରେ ବିଜେପି ପୁଣି ବହୁମତ ପାଇ ସରକାର ଗଢ଼ିବ।

ବିଜେପି ଆଜି ୩୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଅମିତ ଶାହା ମୁମ୍ବାଇରେ ଏବ ବିଶାଳ ରାଲିକୁ ସମ୍ବୋଧିତ କରିଛନ୍ତି।

ଅମିତ ଶାହା କହିଛନ୍ତି, “ଭାରତର ଇତିହାସ କହୁଛି ବିଜେପି କର୍ମକର୍ତ୍ତାମାନେ ଦେଶ ପାଇଁ ଅଧିକ ବଳିଦାନ ଦେଇଛନ୍ତି। କର୍ମକର୍ତ୍ତାଙ୍କୁ ନିଷ୍ଠାପର ଉଦ୍ୟମ ଯୋଗୁଁ ବିଜେପି ଆଜି ସମୃଦ୍ଧ ହୋଇଛି। ୩୮ ବର୍ଷ ତଳେ ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ମୁମ୍ବାଇରେ ଦଳୀୟ କାର୍ଯ୍ୟାଳୟ ସ୍ଥାପନା କରିଥିଲେ। ସେତେବେଳେ ସେ କହିଥିଲେ ଅନ୍ଧାର ହଟିବ-ସୁରୁଜ ଉଇଁବ-ପଦ୍ମ ଫୁଟିବ। ଆଜି ତାଙ୍କ କଥା ବାସ୍ତବରେ ପରିଣତ ହୋଇଛି। ସାରା ଦେଶରେ ପଦ୍ମ ଫୁଟିଛି।”

Comment