ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ପେଟ୍ରୋଲ ତାତି। ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟ ସାରା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି। ବିଜେପି ଏହାକୁ ଡ୍ରାମା କହି ସମାଲୋଚନା କରିଛି।

ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ବିଜେଡି ଆଜି ସାରା ରାଜ୍ୟର ପେଟ୍ରୋଲ ଟାଙ୍କିରେ ପ୍ରତିବାଦର ନିଆଁ ଜାଳିଛି। ୪ ବର୍ଷରେ ବାରମ୍ବାର ତୈଳ ଦର ବୃଦ୍ଧି କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ଅଭିନବ ଢଙ୍ଗରେ ଲିଫ୍‌ଲେଟ୍ ବାଣ୍ଟି ଲୋକଙ୍କୁ ସଚେତନ କରି ବିଜେଡି ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି। ହେଲେ ବିଜେପି ଏହାକୁ ଡ୍ରାମା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

କେନ୍ଦ୍ର ସରକାର ଗତ ୪ ବର୍ଷ ଭିତରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ୭୩ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ୭୦ ଟଙ୍କାରେ ପହଞ୍ଚିଛି। ସାଧାରଣ ଲୋକଙ୍କ ଉପରେ କେନ୍ଦ୍ର ସରକାର ବୋଝ ଲଦି ଦେଉଥିବା ବିଜେଡି ଅଭିଯୋଗ କରିଛି।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୋଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଲୋକଙ୍କୁ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଉପରେ ସଚେତନ କରାଯାଇଛି। ସକାଳ ୯ଟାରୁ ଦିନ ୧୨ଟା ଯାଏଁ ଶାନ୍ତିପୂର୍ଣ୍ଣ ଉପାୟରେ ଏହି କାର୍ଯ୍ୟକ୍ରମ ଚାଲିଥିଲା।

“କେନ୍ଦ୍ରର ମୋଦି ସରକାର ସବୁବେଳେ ଅଚ୍ଛେ ଦିନର କଥା କହି ଲୋକଙ୍କୁ ମିଛ କହୁଛନ୍ତି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ଭାବେ ବଢ଼ିଚାଲିଛି ତାହା  ନ କହିବା ଭଲ। ଗତ ୪ ବର୍ଷ ଭିତରେ ଉତ୍ପାଦ ଶୁଳ୍କକୁ ୯ଥର ବଢ଼ାଇଲେଣି କେନ୍ଦ୍ର ସରକାର। ତେଣୁ ଆମେ ଜନସାଧାରଣଙ୍କୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇ ଲିଫଲେଟ୍ ମାଧ୍ୟମରେ ସଚେତନ କରୁଛୁ”, କହିଛନ୍ତି ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ।

“କେନ୍ଦ୍ର ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରି ଖାଉଟିଙ୍କ ଉପରେ ବୋଝ ଲଦି ଦେଉଛନ୍ତି। ଏହାର ପ୍ରତିବାଦରେ ଆମେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛୁ। କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି ବିରୋଧରେ ଯୁବ ଓ ଛାତ୍ର ବାହିନୀ ଲୋକଙ୍କୁ ସଚେତନ କରୁଛନ୍ତି”, କହିଛନ୍ତି ମଧ୍ୟ-ଭୁବନେଶ୍ୱର ବିଧାୟକ ବିଜୟ ମହାନ୍ତି।

ବିଜେଡିର ଏହି ପ୍ରତିବାଦର ଜବାବ ଦେଇଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମଳିନୀ କରି ବିଜେଡି ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଟିକସ ଛାଡ଼ କରିବାକୁ କହିଛନ୍ତି।

ଭୃଗୁ ବକ୍ସିପାତ୍ର କହିଛନ୍ତି, “ଟିକସ ବାଦରେ ପେଟ୍ରୋଲ ଲିଟର ପିଛା ଓଡ଼ିଶା ତହବିଲକୁ ୨୯ ଟଙ୍କା୨୮ ପଇସା ଆସୁଥିବା ବେଳେ କେନ୍ଦ୍ର ତହବିଲକୁ ଯାଉଛି ୪ଟଙ୍କା ୫୨ ପଇସା। ସେହିପରି ଡିଜେଲ ଲିଟର ପିଛା ୨୫.୬୪ ଟଙ୍କା ଆସୁଥିବା ବେଳେ କେନ୍ଦ୍ର ନେଉଛି ୩ ଟଙ୍କା ୫୬ ପଇସା। ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ବିରୋଧ ପାଇଁ ବିଜେଡି ଆନ୍ଦୋଳନର ଡ୍ରାମା କରୁଛି।”

ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି ଯେ ତେଲ ଦର କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଯଦି ଏତେ ଚିନ୍ତିତ ତାହାଲେ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ନେତୃତ୍ୱ ନିଅନ୍ତୁ। ଜିଏସ୍‌ଟି କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦିଅନ୍ତୁ।

ତେଲ ଦର ବୃଦ୍ଧିକୁ ନେଇ କେତେ ପ୍ରତିବାଦ?

୨୦୧୮, ଏପ୍ରିଲ ୩: ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ଏପ୍ରିଲ ୩ରେ ଭୁବନେଶ୍ବର ପ୍ରତିବାଦ କରିଥିଲା। ବିଧାୟକ ସଞ୍ଜୟ ଦାସବର୍ମା ଏବଂ ଡକ୍ଟର ଅରୁଣ ସାହୁଙ୍କ ନେତୃତ୍ବରେ ଦଳ ରାଜଭବନ ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି କରିଥିଲା। ପରେ ଛାତ୍ର ଓ ଯୁବ ବିଜେଡି କର୍ମୀମାନେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତେଲ ଦର ହ୍ରାସ କରିବାକୁ ଦାବି କରିଥିଲେ।

ଜାନୁୟାରୀ ୧୮, ୨୦୮: ଏହିଦିନ ବିଜେଡି ନେତା ଓ କର୍ମୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ରାଜଧାନୀ ରାଜରାସ୍ତାରେ ଶଗଡ଼ ଗଡ଼ାଇ ତେଲ ଦର ବୃଦ୍ଧିକୁ ବିରୋଧ କରିଥିଲେ।

ସେପ୍ଟେମ୍ବର ୧୭, ୨୦୧୭: ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ଆମ ଦେଶରେ କାହିଁକି ତେଲ ଦର ନିୟନ୍ତ୍ରଣ ହେଉନି ତାର ପ୍ରତିବାଦ କରିଥିଲା ବିଜେଡି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିବା ଦାବିରେ ବିଜେଡି ରାଜ୍ୟତମାମ୍ ହରତାଲ କରିଥିଲା। ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଜେଡି କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିରୋଧ କରିଥିଲେ।

ଜୁନ୍ ୧୬, ୨୦୧୬: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତ୍ୟଧିକ ଉତ୍ପାଦ ଶୁଳ୍କ ବସାଉଥିବାରୁ ତେଲ ଦର ବୃଦ୍ଧି ପାଉଛି। ଏହାର ପ୍ରତିବାଦରେ ରାଜ୍ୟର ୨୫ଟି ସାଙ୍ଗଠନିକ ଜିଲ୍ଲାର ସଦରମହକୁମାରେ ଯୁବ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Comment