ଓଡ଼ିଶାଲାଇଭ୍‌ ବ୍ୟୁରୋ

-ଆଇପିଏଲ୍‌ ସିଜିନ୍-୧୧ର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୬୬ ରନ୍ କରିଥିଲା। ଚେନ୍ନାଇ ୧୬୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା।

-ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ୩ଟି ନୂଆ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରୀ ଡାକ୍ତରଖାନାରେ ନିର୍ମଳ ଓ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇଦେବା ପାଇଁ ନିର୍ମଳ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିନା ମୂଲ୍ୟରେ ଚକ୍ଷୁ ରୋଗର ଚିହ୍ନଟ ଏବଂ ଚିକିତ୍ସା ପାଇଁ ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-+୨ ଖାତା ଦେଖାରେ ସହଯୋଗ କରୁ ନଥିବା ଅଧ୍ୟାପକଙ୍କୁ ନାଲିଆଖି ଦେଖାଇଛନ୍ତି ସରକାର। ରବିବାରଠାରୁ ଖାତା ଦେଖାରେ ସହଯୋଗ ନକଲେ ଅଧ୍ୟାପକଙ୍କ ବିରୋଧରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

-ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଦୁଇଟି  ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର) ଅଧିନରେ ଏହି କେନ୍ଦ୍ର ଖୋଲାଯାଇଛି। ଭୁବନେଶ୍ୱରର କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି।

-ରଙ୍ଗିନ୍ ଆଲୋକ ସାଙ୍ଗକୁ ଖଚାଖଚ ଭିଡ଼। ରଙ୍ଗରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ। ନାଚି, ଗାଇ ଦର୍ଶକଙ୍କୁ ମତୁଆଲା କରିଛନ୍ତି ବଲିଉଡ କଳାକାର। ଏମିତି ଏକ ପରିବେଶ ଦେଖିବାକୁ ମିଳିଛି ଆଇପିଏଲ୍ ସିଜିନ୍-୧୧ ଶୁଭାରମ୍ଭ ଅବସରରେ। ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ଆଇପିଏଲ୍ ସିଜିନ୍-୧୧। ଉଦଘାଟନୀ ଉତ୍ସବରେ ଜଲୱା ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ବରୁଣ ଧାବନ ଏବଂ ଡ୍ୟାନ୍ସିଂ ଷ୍ଟାର୍ ପ୍ରଭୁ ଦେବା ବି କମାଲ୍ କରିଛନ୍ତି ଏହି ଉତ୍ସବରେ। ଦର୍ଶକମାନେ ପୂରା ଉତ୍ସବକୁ ଉପଭୋଗ କରୁଛନ୍ତି। ଆଇପିଏଲ୍ ସିଜିନ୍-୧୦ର ବିଜେତା ଅଧିନାୟକ ରୋହିତ ଶର୍ମା ଟ୍ରଫି ଆଣି ଷ୍ଟେଜ୍ ଉପରେ ରଖିଛନ୍ତି। ଏହି ଟ୍ରଫି ପାଇଁ ଚଳିତ ସିଜିନରେ ୮ଟି ଟିମ୍ ମଧ୍ୟରେ ଦମଦାର ଲଢ଼େଇ ହେବ।

-ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁକୁଳିଲେ ବଲିଉଡ ଷ୍ଟାର ସଲମାନ୍‌ ଖାନ୍। ଜେଲ୍‌ରୁ ବାହାରିବା ପରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସଲମାନ୍‌ ସିଧା ଏୟାରପୋର୍ଟ ଯାଇଥିଲେ। ଯୋଧପୁର ଏୟାରପୋର୍ଟରୁ ସେ ମୁମ୍ବାଇ ଆସିବେ।

-୨୦୦୮ରେ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୧ ତମ ସଂସ୍କରଣ ଖେଳାଯିବ। ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ଓ୍ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ଉଦଘାଟନୀ କାର୍ଯ୍ୟକ୍ରମ। ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ୍‌ ଧରି ଚାଲିବ। ଏହାପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌।

-କେନ୍ଦ୍ର  ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଣିକି ଅନଲାଇନ ଖବର ପରିବେଷଣକୁ ନିୟନ୍ତ୍ରଣ କରିବ। ବିଭିନ୍ନ ନ୍ୟୁଜ୍ ପୋର୍ଟାଲ ଓ ମିଡିଆ ୱେବସାଇଟଗୁଡ଼ିକୁ ବାଟକୁ ଆଣିବା ପାଇଁ ଏକ ଦଶ ଜଣିଆ କମିଟି ଗଠନ କରାଯାଇଛି। ଏନେଇ ଏକ ଆନୁଷ୍ଠାନିକ  ବିଜ୍ଞପ୍ତି ପ୍ରକାଶ ପାଇଛି। ଫେକ୍ ନ୍ୟୁଜ୍ ମାମଲାରେ ନିକଟରେ ସୂଚନା  ମନ୍ତ୍ରାଳୟ ପକ୍ଷରୁ ଯେଉଁ ବିବାଦୀୟ ନୋଟିସ ଜାରି କରାଯାଇଥିଲା ତାହାକୁ ଅଗତ୍ୟା ଫେରାଇ ନିଆଯିବାପରେ ଅନଲାଇନ ଖବର ପରିବେଷଣ ସଂକ୍ରାନ୍ତରେ ଏହି କମିଟି ଗଠନ ନିଷ୍ପତ୍ତି ନିଆଯାଇଛି। ବୁଧବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି କମିଟିରେ ସୂଚନା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ। କମିଟିରେ ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟର ଫେଡେରେସନର ପ୍ରତିନିଧି ମଧ୍ୟ ରହିବେ।

-ତୈଳଦର ବୃଦ୍ଧି ପ୍ରତିବାଦରେ ଶନିବାରଦିନ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି। ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରାଯାଇଛି। ବିଜେଡି ପକ୍ଷରୁ ଏହା ଅଭିଯୋଗ କରାଯାଇ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ଲୋକଙ୍କୁ ସଚେତନ କରିବାକୁ ଲିଫଲେଟ ମଧ୍ୟ ବଣ୍ଟାଯାଇଥିଲା।

Comment