ଓଡିଶାଲାଇଭ୍‌ ବ୍ୟୁରୋ

ହିମାଚଳ ପ୍ରଦେଶର ଭୟାନକ ସ୍କୁଲ୍‌ ବସ୍‌ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ର ରଣବୀର। ପ୍ରାୟ ୫୦ଫୁଟ୍‌ ପାହାଡ ଚଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ସେ।

ହିମାଚଳ ପ୍ରଦେଶରେ ଏକ ସ୍କୁଲ୍‌ ବସ୍‌ ଦୁର୍ଘଟଣାରେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୩୦ ଜଣ ପ୍ରାଣ ହରାଇଛନ୍ତି। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହତମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ରଣବୀର ନାମକ ଜଣେ ଛାତ୍ର। ସେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ସମ୍ପୂର୍ଣ୍ଣ ଘଟଣାର ମୂକ ସାକ୍ଷୀ ହେଉଛନ୍ତି ରଣବୀର।

“ଗୋଟିଏ ବାଇକ୍‌କୁ ସାଇଟ୍‌ ଦେବା ଚକ୍କରରେ ବସ୍‌ ୨୦୦ଫୁଟ ତଳ ଏକ  ଖାଲକୁ ଗଳି ପଡ଼ିଥିଲା। ଏହାପରେ ଜଣେ ପରେ ଜଣେ  ଖାଲକୁ ଗଳି ପଡ଼ିଥିଲେ। ରଣବୀର ପାଖାପାଖି ୫୦ଫୁଟ୍‌ ଉଚ୍ଚ ଏକ ପାହାଡ଼ ଚଢ଼ି ରାସ୍ତାକୁ ଆସିଥିଲି। ଏକ ବାଇକ୍‌ରେ ଯାଉଥିବା ଯାତ୍ରୀଙ୍କୁ ରୋକି ସ୍କୁଲ ବସ୍‌ ଗଳି ପଡ଼ିଛି ବୋଲି ସୂଚନା ଦେଇଥିଲି”, କହିଛନ୍ତି ରଣବୀର।

ଦୁର୍ଘଟଣା ସମୟରେ ବସ୍‌ଟି ଯେତେବେଳେ ଖାଲକୁ ଗଳୁଥିଲା ସେତେବେଳେ ବହୁ ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଡେଇଁବାର ପ୍ରୟାସ କରିଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି।

ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ନୁରପୁର ନିର୍ବାଚନ ମଣ୍ଡଳୀର ମଲକଓ୍ଵାଲ୍‌ ଅଞ୍ଚଳରେ ସ୍କୁଲ୍‌ ବସ୍‌ଟି ରାସ୍ତା ଉପରୁ ପାଖାପାଖି ୨୦୦ ଫୁଟ୍‌ ତଳେ ଥିବା ଗଭୀର ଖାଲ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ହସ୍ପିଟାଲରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ପରେ ଏନ୍‌ଡିଆରଏଫ୍‌ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା।

Comment