ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଯାଇଛି ଆଇପିଏଲ୍‌ର ୧୧ତମ ସଂସ୍କରଣ। ୫୧ ଦିନ ଧରି ଚାଲିବ ଏହି କ୍ରିକେଟ୍‌ ମହୋତ୍ସବ। ଏଥିପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ କହିଲେ ନ ସରେ। କ୍ରିକେଟପ୍ରେମୀଙ୍କ ଏହି ଉତ୍ସାହକୁ ଦେଖି ଟେଲିକମ ଅପରେଟରମାନେ ସ୍ୱତନ୍ତ୍ର ପ୍ରକାରର ଆଇପିଏଲ୍‌ ଅଫର ବଜାରକୁ ଛାଡ଼ିଛନ୍ତି।

ଚାଲିଛି ଆଇପିଏଲ୍‌ ଋତୁ। ଏହାକୁ ଅଧିକ ଉଷ୍ଣ କରିବା ପାଇଁ ବିଭିନ୍ନ ଟେଲିକମ୍ କମ୍ପାନି ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ଘୋଷଣା କରିଛନ୍ତି। ପ୍ରଥମେ ଜିଓ ଏହାପରେ  ବିଏସଏନଏଲ ଓ ଏୟାରଟେଲ ପକ୍ଷରୁ ଆଇପିଏଲ୍‌ ସିଜିନ୍‌ରେ ଗ୍ରାହକଙ୍କ ମନ ଜିଣିବାକୁ ପ୍ରୟାସ ଚଳାଇଛନ୍ତି।

ପ୍ରଥମେ ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ୨୫୧ ଟଙ୍କିଆ ପ୍ଲାନ ଘୋଷଣା କରିଥିଲା। ଜିଓକୁ ଟକ୍କର ଦେବା ପାଇଁ ଏବେ ରାଷ୍ଟ୍ରାୟତ କମ୍ପାନି ବିଏସଏନଏଲ୍‌ ପକ୍ଷରୁ ଏକ ୨୫୮ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି। ଏହା ମାଧ୍ୟମରେ ଉପଭୋକ୍ତାମାନେ ୧୫୩ ଜିବି ମୋବାଇଲ ଡାଟା ୫୧ ଦିନ ପାଇଁ ପାଇପାରିବେ। ଅର୍ଥାତ୍‌ ଦିନକୁ ୩ ଜିବି ଡାଟା ମିଳିବ। ଏହା ଫଳରେ କ୍ରିକେଟପ୍ରେମୀମାନେ ଆଇପିଏଲ ମ୍ୟାଚଗୁଡ଼ିକର ଲାଇଭ ଷ୍ଟ୍ରିମିଂ ସହଜରେ ଦେଖିପାରିବେ। କିନ୍ତୁ ଏହି ଅଫର ସୀମିତ ସମୟ ପାଇଁ ଏପ୍ରିଲ ୭ରୁ ୩୦ ମଧ୍ୟରେ ମିଳିପାରିବ।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏୟାରଟେଲ୍‌ ମଧ୍ୟ ପଛରେ ପଡ଼ିନି। ଏୟାରଟେଲରେ ୪୯୯ଟଙ୍କା ପ୍ୟାକ୍‌ ରିଚାର୍ଜ କରି ପ୍ରତିଦିନ ୨ଜିବି ଡାଟା ପାଇପାରିବେ। ଏହାର ବୈଧତା ୮୨ଦିନ ପର୍ଯ୍ୟନ୍ତ ରହିଛି। ଏହା  ଏୟାରଟେଲ୍‌ ଟିଭି ଆପ୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତବର୍ଷର ଆଇପିଏଲ୍‌ ୨୦୧୮ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ଦେଖିପାରିବେ। ଏଥିସହିତ ଏହିସବୁ ମ୍ୟାଚ୍‌ର ହାଇଲାଇଟ୍‌ଗୁଡ଼ିକୁ ହଟ୍‌ଷ୍ଟାର୍‌ ମାଧ୍ୟମରେ ମଧ୍ୟ ଦେଖିବାର ସୁଯୋଗ ପାଇବେ। ଏଥିପାଇଁ ଏୟାରଟେଲ୍‌ ଗ୍ରାହକମାନଙ୍କୁ ଏୟାରଟେଲ୍‌ ଟିଭି ଆପର ନୂତନ ସଂସ୍କରଣକୁ ଇନଷ୍ଟଲ କରିବାକୁ ପଡ଼ିବ। ଏୟାରଟେଲ୍‌ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଗ୍ରାହକମାନଙ୍କ ପାଇଁ ଜୁନ୍‌ ପର୍ଯ୍ୟନ୍ତ ଏୟାରଟେଲ୍‌ ଟିଭି ଆପ୍‌ର ସମସ୍ତ କଣ୍ଟେଣ୍ଟ୍‌ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଲାଇଭ୍‌ ଆଇପିଏଲ୍‌ ମ୍ୟାଚ୍‌ ସହିତ ଏୟାରଟେଲ୍‌ ଟିଭି ଆପ୍‌ ଲାଇଭ୍‌ ସିନେମା, ସୋ, ଧାରାବାହିକ ଓ ଆହୁରି ଅନେକ କିଛି ଗ୍ରାହକମାନଙ୍କ ମନୋରଞ୍ଜନ ପାଇଁ ଯୋଗାଇଦେଉଛି ।

Comment