ଓଡ଼ିଶାଲାଇଭ୍ ବ୍ୟୁରୋ

  • ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
  • ରାଜଧାନୀ ଶିଳାନ୍ୟାସ ଫଳକଠାରେ ବେସାମରିକ ପରେଡ୍
  • ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ-୨୦୧୮

ରାଜଧାନୀ ଭୁବନେଶ୍ୱରକୁ ‘ଷ୍ଟାର୍ଟ ଟୁ ସ୍ମାର୍ଟ’ ସିଟି ରୂପେ ଗଢ଼ି ତୋଳିବା ଦିଗରେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରାଯିବା ଉଚିତ। ଏ ଦିଗରେ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ଏହି ଉପଲକ୍ଷେ ଓଡ଼ିଶା ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକଠାରେ ଶୁକ୍ରବାର ଏକ ଚିତ୍ତାକର୍ଷକ ବେସାମରିକ ପରେଡ୍ ଓ ମାର୍ଚ୍ଚଫାଷ୍ଟ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ।

ଭୁବନେଶ୍ୱରର ଗୌରବମୟ ଐତିହ୍ୟ ଓ ପରମ୍ପରା ସଂପର୍କରେ ଉଲ୍ଲେଖ କରିବା ସହ ସ୍ମାର୍ଟସିଟିର ମହତ୍ତ୍ବକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ବାଚସ୍ପତି।

ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର,  ସମ୍ମାନିତ ଅତିଥି ଭାବେ ମହିଳା, ଶିଶୁବିକାଶ ଓ ଏମ୍ଏସଏମ୍ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣି, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ।

ସେହିପରି ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ହେମନ୍ତ ଶର୍ମା, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଅତିଥିମାନେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ୨୦୧୯ ବର୍ଷ ଠାରୁ ସରକାରୀ ସ୍ତରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ କମିଟିର ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଏହି ଅବସରରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା।

Comment