ଓଡ଼ିଶାଲାଇଭ୍ ବ୍ୟୁରୋ

ବସନ୍ତର ଶେଷ ସମୟରେ ଚୈତ୍ର ଆକାଶ ଥାଏ ଉତ୍ତପ୍ତ। କାଠଚମ୍ପା ଏବଂ ମଧୁମାଳତୀର ମହକ ଲୋକଙ୍କୁ କରୁଥାଏ ଆନମନା। ଏହି ମହକମୟ ପରିବେଶ ଭିତରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱରର ଦେବ ଦେବ ମହାଦେବଙ୍କ ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା ଆରମ୍ଭ ହୁଏ।

ଭୋଗରାଇ: ଆଧୁନିକତାର ଛାପରେ ଚଡ଼କ ମେଳାର ମହକ କମିନି। ବର୍ଷ ବର୍ଷ ଧରି ଏହି ମେଳା ସ୍ୱତନ୍ତ୍ରତା ବଜାୟ ରଖି ଆସିଛି। ପ୍ରଚଳିତ ପରମ୍ପରା ଅନୁଯାୟୀ ଅଧିବାସ ଓ ମହାଦୀପ ଉଠିବା ପରେ ମେଳା ଆରମ୍ଭ ହୁଏ ଚୈତ୍ର ମାସରେ।

ଶିବ-କାମିନୀ ବିବାହ

ପ୍ରଥମେ ପାଟଭକ୍ତ, ଦେଉଳିଆ, ଶ୍ରୀବେକିଡି ପ୍ରମୁଖ ଉପବାସ କରିଥାନ୍ତି। ସେହିଦିନ ଏକ ଅକାଟା ପୁଞ୍ଜରୁ ବଡ ବାଉଁଶଟିଏ ସଂଗ୍ରହ କରାଯାଏ। ଯାହା ପୋଡା ବାଉଁଶ, ଧର୍ମ ଦଣ୍ଡ ବା ଧ୍ୱଜଦଣ୍ଡ ରୂପେ ବ୍ୟବହୃତ ହୁଏ। ଉପବାସ କରିଥିବା ଭକ୍ତମାନଙ୍କ ସମାବେଶ ବୃଦ୍ଧିପାଏ। ପ୍ରତ୍ୟେହ ବାବାଙ୍କ ନାମ ଓ ଗୁଣକୀର୍ତ୍ତନ କରି ଭକ୍ତମାନେ ନଗର ପରିକ୍ରମା କରିଥାନ୍ତି। ଏହି ସମୟରେ ଅନୁଷ୍ଠିତ ହୁଏ ଶିବ ଓ କାମିନୀ ବିବାହ।

ଶିବ-କାମିନୀ ବିବାହ ପରେ ଅନୁଷ୍ଠିତ ହୁଏ ନୀଳପର୍ବ। ନୀଳ ପରଦିନ ତଥା ସଂକ୍ରାନ୍ତି ପୂର୍ବଦିନ ପାଳିତ ହୁଏ ଚଡ଼କ ଯାତ୍ରାର ମୁଖ୍ୟ ପାଟ ଉତ୍ସବ। ଏହିଦିନ ଚନ୍ଦନେଶ୍ୱର ପୀଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

ଶେଷ ଅର୍ଘ୍ୟଦାନ ପୂର୍ବରୁ ନାରୀ ଓ ପୁରୁଷ ଭକ୍ତବୃନ୍ଦ ୧ କିଲୋମିଟର ଦୂରରେ ଥିବା ପୋଖରୀରେ ମାଳ ଓ ଚନ୍ଦନ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରି ବନ୍ଧୁତ୍ୱର ସମ୍ପର୍କ ଯୋଡ଼ି ଦିଅନ୍ତି।

କାହିଁକି ହୁଏ ଚଡ଼କ ମେଳା?

ଏକଦା ନୀଳପୋଖରୀରେ ଥିବା ଥମ୍ବିକାଠ ଏକ ସ୍ତମ୍ଭ ଓ ଚରକି ଭାବରେ ବ୍ୟବହୃତ ହେଉଥିଲା। କେତେକ ଭକ୍ତ ହାତ ଓ ପିଠିକୁ କଣ୍ଡାବିଦ୍ଧ କରି ଝୁଲୁଥିଲେ। ଏବେ ଏହି ପ୍ରଥା ଲୁପ୍ତ ହୋଇ ଯାଇଥିବାରୁ କାଠଦ୍ୱୟକୁ ପୂଜାର୍ଚ୍ଚନା କରାଯାଉଛି। ଚରକି ଶବ୍ଦରୁ ଚଡ଼କ ଆସିଛି। ଗ୍ରୀଷ୍ମ ଋତୁର ଆରମ୍ଭରୁ ହେଉଥିବା ଏହି ମେଳା ଚଡ଼କ ମେଳା ନାମରେ ନାମିତ କରାଯାଇଥିବା କେତେକ ମତ ଦିଅନ୍ତି। ଏହି ଚଡ଼କ ମେଳାରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

ମାନସିକଧାରୀମାନେ ବହୁ ଆଶା ବିଶ୍ୱାସ ନେଇ ଏଠାକୁ ଆସିଥାନ୍ତି। ଯାହା ମାନସିକ କରିଥାନ୍ତି ତାହା ବାବ ଚନ୍ଦନେଶ୍ୱର ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ମହାନୀଳ ଉତ୍ସବ

ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରସିଦ୍ଧ ଚନ୍ଦନେଶ୍ୱରଙ୍କ  ଚଡକ ମେଳା ଆରମ୍ଭ ହୋଇଛି। ଗୁରୁବାର ଥିଲା ମହାନୀଳ ପର୍ବ। ଏହି ଅବସରରେ ସମଗ୍ର ଚନ୍ଦନେଶ୍ୱର ପୀଠ ପାଲଟିଯାଇଥିଲା ଜନ ସମୁଦ୍ର। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ପ୍ରାୟ ୪ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଜୀଉ ଓ ମାତା ଦୁର୍ଗାଙ୍କ ପ୍ରତିମା ସଦୃଶ ଦୁଇ ସ୍ତମ୍ଭୀ କାଠକୁ ଭକ୍ତମାନେ ନୀଳପୋଖରୀରୁ ଉତ୍ତୋଳନ କରିଛନ୍ତି।

ପବିତ୍ର ନୀଳ ପର୍ବ ଅବସରରେ ପ୍ରାୟ ୫ଶହରୁ ଅଧିକ ବ୍ରାହ୍ମଣ ମନ୍ଦିର ପରିସରରେ ପୂଜାପାଠ କରିଥିଲେ। ଅପରାହ୍ଣରେ ବାଡସରିଷାସ୍ଥିତ ହାକାଣ୍ଡ ପୋଖରୀ ଅଭିମୁଖେ ଯାତ୍ରା କରିଥିଲେ। ପୋଖରୀ ମାର୍ଜନା ପରେ ସମସ୍ତେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀକୁ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟା ୬ଟା ୪୫ମିନିଟରେ ପାଟଭକ୍ତଙ୍କ ନିର୍ଦ୍ଦେଶରେ ଭକ୍ତମାନେ ନୀଳପୋଖରୀକୁ ପ୍ରବେଶ ପୂର୍ବକ ଥମ୍ବିକାଠ ଅନ୍ୱେଷଣ କରିଥିଲେ।

ଦୀର୍ଘ ସମୟପରେ ଭକ୍ତମାନେ ୨ଟି କାଠକୁ ଉତ୍ତୋଳନ କରି ମନ୍ଦିରର ଦକ୍ଷିଣ ପଟେ ସ୍ଥାପନ କରିଥିଲେ। ସ୍ତମ୍ଭୀ ପୂଜାର୍ଚ୍ଚନା ପରେ ଶିବତାଣ୍ଡବ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ନୀଳ ପୋଖରୀରେ ବାଣ ଫୁଟା ହୋଇଥିଲା ଓ ପରେ ଅର୍ଘ୍ୟଦାନ ହୋଇଥିଲା। ଏହି ଅବସରରେ ଜୀଉଙ୍କ ରୁଦ୍ର ରୂପକୁ ଶାନ୍ତକରିବା ପାଇଁ ପ୍ରଚୁର ପଇଡ଼ ପାଣି ଓ କ୍ଷୀର ଅଭିଷେକ କରାଯାଇଥିଲା। ଅର୍ଘ୍ୟଦାନ ପରେ ଭକ୍ତମାନେ ଅନ୍ନସେବନ ନକରି କେବଳ ଫଳ ଆହାର କରିଥିଲେ।

Comment