ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଓଲିଉଡ ଭାଇଜାନ ସୁସ୍ଥ ହୋଇ ପୁଣି ସୁଟିଂ ଆରମ୍ଭ କରିଛନ୍ତି।

ନିକଟରେ ଫିଲ୍ମ ସୁଟିଂବେଳେ ଆହତ ହୋଇପଡ଼ିଥିଲେ ଓଲିଉଡ ଷ୍ଟାର୍ ଅନୁଭବ ମହାନ୍ତି। ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ଅନୁଭବ ଫ୍ୟାନ୍‌ମାନଙ୍କ ମଧ୍ୟରେ ଛନକା ପଶିଥିଲା କେମିତି ଅଛନ୍ତି ଅନୁଭବ। କାରଣ ଆହତ ହେବା ପରେ ସେ ଆଉ ସୋସିଆଲ ମିଡିଆରେ ସକ୍ରିୟ ହେବାର ନଜର ଆସୁନଥିଲା।

ସପ୍ତାହେ ପରେ ପୁଣି ସୋସିଆଲ୍‌ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ଅନୁଭବ। ପୁଣି ଏକ ଭିନ୍ନ ଅନ୍ଦାଜରେ। ସାଇକେଲ୍ ଚଳାଇ ନିଜ ସୁସ୍ଥ ହେବାର ଖବର ଦେଇଛନ୍ତି ଫ୍ୟାନମାନଙ୍କୁ।

ଫେସବୁକ୍‌ରେ ସାଇକେଲ ଚଳାଉଥିବାର ଏକ ଫଟୋ ଅପଲୋଡ କରି କ୍ୟାପସନରେ ଲେଖଛନ୍ତି, “ସପ୍ତାହେ ହେବ ମୁଁ ଆପଣମାନଙ୍କ ସହ ଯୋଡ଼ି ହୋଇପାରିନଥିଲି। ଏଥିପାଇଁ କ୍ଷମା ମାଗୁଛି। ଆପଣମାନଙ୍କ ଆଶୀର୍ବାଦ ମୋ ପାଇଁ ସର୍ବଦା ଆବଶ୍ୟକ”।

ଫିଲ୍ମ ସୁଟିଂ ସମୟରେ ପାଣି ଟାଙ୍କି ଉପରୁ ପଡ଼ି ଆହତ ହୋଇଥିଲେ ଅନୁଭବ । ରଜ ଅବସରରେ ମୁକ୍ତିଲାଭ କରିବାକୁ ଥିବା ତରଙ୍ଗ ସିନେ ପ୍ରଡକ୍ସନ୍‌ର ସିନେମା ‘ପ୍ରେମ୍‌ କୁମାର’ ସୁଟିଂ ଆଜି ମହାନଦୀ ବିହାରରେ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ସିନ୍‌ରେ ପାଣି ଟାଙ୍କି ଉପରୁ ଅନୁଭବଙ୍କୁ ତଳକୁ ଡେଇଁବାକୁ ଥିଲା। ଅନୁଭବ ତଳକୁ ଡେଇଁବା ପରେ ତାଙ୍କର ଡାହାଣ ଗୋଇଠି ମୋଡି ହୋଇଯାଇଥିଲା।

ସେଟ୍‌ରେ ଥିବା ପ୍ରଡକ୍ସନ୍‌ ୟୁନିଟ୍‌ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ରାଣୀହାଟସ୍ଥିତ ଏକ ଘରୋଇ ନର୍ସିଂ ହୋମ୍‌କୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଅନୁଭବଙ୍କ ଦୁର୍ଘଟଣା ଖବର ପ୍ରଚାର ହେବା ପରେ ଓଲିଉଡର ବହୁ କଳାକାର ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ।

ମା’ ମଧୁସ୍ମିତା ମହାନ୍ତି, ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଭାଇ ଅନୁପ୍ରାସ ମହାନ୍ତି, ତରଙ୍ଗର ରଂଜନ ଶତପଥୀ, ଅଭିନେତା ମନୋଜ ସେଠୀ, ଜିତୁ ମଙ୍ଗରାଜ ଓ ଅନ୍ୟାନ୍ୟ ପରିବାରବର୍ଗ ଲୋକମାନେ ହସ୍‌ପିଟାଲ୍‌ରେ ପହଞ୍ଚି ଅନୁଭବଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ।

Comment