ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ
  • ବାଜା ବଜାଇ, ବାଣ ଫୁଟାଇ ନିରଞ୍ଜନଙ୍କୁ ସ୍ୱାଗତ
  • ଜିନ୍ଦାବାଦ ଧ୍ୱନିରେ କମ୍ପିଲା କଂଗ୍ରେସ ଭବନ
  • କଂଗ୍ରେସଭବନରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱରରେ ପହଞ୍ଚିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ ଆଜି ତାଙ୍କ ଟିମ୍‌ ସହ ଦିଲ୍ଲୀରୁ ଫେରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନସ୍ଥିତ କଂଗ୍ରେସଭବନକୁ ପାଛୋଟି ଆଣିଥିଲେ। ଏହି ବିଶାଳ ରାଲି ମାଧ୍ୟମରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଛି। ଦିର୍ଘଦିନ ପରେ ଏଭଳି ରାଲି ଆୟୋଜନ କରି କଂଗ୍ରେସ ଜୋସ୍‌କୁ ଆସିଛି।

ରୋଡ୍‌ ସୋ କରି ନିରଞ୍ଜନ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ରୋଡ୍‌ ସୋରେ ନିରଞ୍ଜନଙ୍କ ସମେତ ପ୍ରଭାରି ଜିତେନ୍ଦ୍ର ସିଂ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ସେକ୍ ମସ୍ତାନ ୱାଲି, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ସାମିଲ ହୋଇଥିଲେ। ଏହାସହ ୩ ଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି ଏବଂ ନବ କିଶୋର ଦାସ ମଧ୍ୟ ରୋଡ ସୋରେ ସାମିଲ ହୋଇଥିଲେ।

କଂଗ୍ରେସ ଭବନରେ ପହଞ୍ଚିବା ପରେ ନିରଞ୍ଜନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ନିରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିରଞ୍ଜନ କଂଗ୍ରେସଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

୧୯ ତାରିଖରେ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କୁ ସହଯୋଗ କରିବା ପାଇଁ ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ଦୁଇ ଦିନ ପରେ ନିରଞ୍ଜନ ଭୁବନେଶ୍ୱର ଫେରି କଂଗ୍ରେସର ଜୋସ୍ ଫେରାଇଛନ୍ତି।

Comment