ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵର ଦୁଇ ବଡ଼ ଶତ୍ରୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୭୦ବର୍ଷ ପରେ ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି ଉତ୍ତର କୋରିଆର କୌଣସି ନେତା।

୭୦ବର୍ଷ ପରେ ଶୁକ୍ରବାର ଦିନ ପ୍ରଥମଥର ପାଇଁ ଉତ୍ତର କୋରିଆର ସୁପ୍ରିମୋ କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁଉନ୍‌ ଜାଏ-ଇନ୍‌ ଶିଖର ବୈଠକରେ ଏକତ୍ର ହୋଇଛନ୍ତି। ବିଶ୍ଵର ଦୁଇ ଶତ୍ରୁ ଦେଶ ଭାବେ ପରିଚିତ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୧୯୫୦-୫୩ କୋରିଆ ଯୁଦ୍ଧ ପରେ ପ୍ରଥମଥର ପାଇଁ ଭେଟିଛନ୍ତି ଉଭୟ ଦେଶର ରାଷ୍ଟ୍ରମୁଖ୍ୟ।

ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଟାଣି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକଛତ୍ରବାଦୀ ଶାସକ ଭାବେ ପରିଚିତ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ବାରମ୍ବାର ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରି ସାରା ବିଶ୍ୱକୁ ଚମକାଇ ଦେଇଥିବା କିମ୍‌ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣଇ ଶତ୍ରୁ ପକ୍ଷ ଉତ୍ତର କୋରିଆ ସହ ସହଯୋଗର ହାତ ବଢ଼ାଇଛନ୍ତି।

ଦୁଇ ଦେଶର ସୀମାରେ ଅବସ୍ଥିତ ଡିମାର୍କେସନ୍‌ ଲାଇନ୍‌ ବା ଅଣସାମରିକ କ୍ଷେତ୍ରରେ ପରସ୍ପରକୁ ଭେଟିଛନ୍ତି ଉନ୍ ଓ ମୁନ୍। ଏଠାରେ ଅବସ୍ଥିତ ପନମୁନଜେଓମ୍ର ପିସ୍ ହାଉସରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ବିନା ନିର୍ଦ୍ଧାରିତ ଯୋଜନାରେ କିମ୍‌ ମୁଉନ୍‌ଙ୍କୁ ଡିମାର୍କେସନ୍‌ ଲାଇନ୍‌ ଟପିବାକୁ ନିମନ୍ତ୍ରଣ କରିଥିଲେ। ତା’ପରେ ଦୁଇ ନେତା ହାତ ଧରାଧରି ହୋଇ ଦକ୍ଷିଣ କୋରିଆକୁ ଯାଇଥିଲେ।

ଉଭୟଙ୍କୁ ଦକ୍ଷିଣ କୋରିଆ ଡିମିଲିଟାରାଇଜ୍‌ଡ୍‌ ଜୋନ୍‌ରେ ଅବସ୍ଥିତ ଗ୍ରାମବାସୀମାନେ ପୁଷ୍ପଗୁଚ୍ଛ ଦେଇଥିଲେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସକାଶ ବିଛା ଯାଇଥିବା ଲାଲ୍‌ ଗାଲିଚାରେ ଚାଲି ଚାଲି ଯିବାବେଳେ ସେମାନଙ୍କୁ ଐତିହାସିକ ପ୍ରଥା ଏବଂ ପାରମ୍ପରିକ ବାଦ୍ୟ ଧ୍ୱନି ମଧ୍ୟରେ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା।

ମୁଉନ୍‌ ଓ କିମ୍‌ ପାରମାଣୁ ନିରସ୍ତ୍ରୀକରଣ ସମ୍ବନ୍ଧରେ ଆଲୋଚନା କରିବା ସହ ସୀମାନ୍ତ ଗ୍ରାମ ପାନୁମ୍‌ଜୋମ୍‌ ଗାଁ’ରେ ସ୍ମାରକୀ ବୃକ୍ଷରୋପଣ କରିବେ।

ଏକ ନୂଆ ଇତିହାସ ଆରମ୍ଭ ହେଲା। ଆଜିଠୁ ଶାନ୍ତିର ଯୁଗ ଆରମ୍ଭ ହେଲା ବୋଲି ଲେଖା ଥିବା ଦକ୍ଷିଣ କୋରିଆର ଶାନ୍ତି ଗୃହ ଅତିଥି ଖାତାରେ ଉଭୟ ନେତା ବ୍ୟକ୍ତିଗତ ଆଲୋଚନା କରିବାକୁ ଯିବା ପୂର୍ବରୁ ଦସ୍ତଖତ କରିଥିଲେ।

ଏହି ଐତିହାସିକ ସାକ୍ଷାତ ଆଲୋଚନାକୁ ‘ଇଣ୍ଟର କୋରିଆନ୍ ସମିଟ୍’ ଭାବେ ନାମିତ କରାଯାଇଛି।

Comment