ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଘଟଣାର ଅଧିକ ଯାଞ୍ଚ୍‌ ପାଇଁ ପୋଲ ଖସି ପଡ଼ିଥିବା ସ୍ଥାନରେ ପହଞ୍ଚିଛି ଫୋରେନସିକ୍ ଟିମ୍।

ବମିଖାଲ୍‍ ଓଭରବ୍ରିଜ୍‍ ଗୋଟିଏ ବର୍ଷରେ ଦୁଇଥର ଭୁଶୁଡ଼ି ଦୁଇ ଜଣକ ଜୀବନ ନେଇଛି। ଗୁରୁବାରଦିନ ରାତିରେ ବ୍ରିଜ୍‍ର ଲୁହା ରେଲିଂ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦଶେ ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଛି ୮ଜଣିଆ ଫୋରେନ୍‌ସିକ୍‌ ଟିମ୍‌। କେମିତି ପୋଲ ଭୁଶୁଡ଼ିଲା, ନିର୍ମାଣାଧୀନ କାର୍ଯ୍ୟରେ କେଉଁ ରଡ଼ ଓ ସିମେଣ୍ଟ୍ ବ୍ୟବହୃତ ହେଉଥିଲା ତାହା ବିଷୟରେ ଆରମ୍ଭ କରିଛନ୍ତି ତନାଘନା। ମୃତ ଶ୍ରମିକଙ୍କ ରକ୍ତ ନମୂନା ସଂଗ୍ରହ କରିବା ସହ ଦୁର୍ଘଟଣା ସ୍ଥଳର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ କରାଯାଉଛି।

ଏପଟେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁନ୍ଦରଗଡ଼ ଜିଲା ଲାଠିକଟାର ଅଜୟ ଭୂମିଜଙ୍କ ପରିବାର ଓ ଗାଁ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ଶୁକ୍ରବାର ଦିନ ସକାଳୁ ବ୍ରିଜର ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନ୍‍ଫ୍ରା କମ୍ପାନୀର ମାଲିକ ପ୍ରତାପ ପଣ୍ଡାଙ୍କୁ କମିଶନରେଟ୍‍ ପୁଲିସ ଗିରଫ କରିଛି। ପଣ୍ଡାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‍ର ୩୦୪, ୩୩୭, ୩୩୮ ଓ ୩୪ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ। ତା’ ପୂର୍ବରୁ କ୍ୟାପିଟାଲ୍‍ ହସ୍ପିଟାଲ୍‍ର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିବା ଜଣାପଡ଼ିଛି।

ପୋଲ ଭୁଶୁଡ଼ିବା ଘଟଣାକୁ ବିଜେପି ଏହି ଘଟଣାର ନିନ୍ଦା କରିବା ସହିତ ସିବିଆଇ ତଦନ୍ତ ଦାବି କରିଛି। ସରକାରୀ ଉଦାସୀନତା ଯୋଗୁଁ ଏଭଳି ଘଟଣା ଘଟୁଛି। ତେଣୁ ଏହି ଘଟଣାର ତଦନ୍ତ ଭାର ସିବିଆଇ କିମ୍ବା ରାଜ୍ୟ ବାହାରର କୌଣସି ସଂସ୍ଥାଙ୍କୁ ଦେବା ପାଇଁ ବିଜେପି ଦାବି କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିବା ସହ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବେ କହିଛନ୍ତି। ଏଥିସହିତ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ନିର୍ମାଣାଧୀନ ବ୍ରିଜର ଏକ ସ୍ଲାବ୍ ଖସିପଡ଼ିବାରୁ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସତ୍ୟଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକ, ମ୍ୟାନେଜରଙ୍କ ସମେତ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା। ଜାମିନରେ ମୁକୁଳିବା ପରେ ପୁଣି ଘଟିଛି ଅଘଟଣ।

Comment